ନୂଆଦିଲ୍ଲୀ : କରୋନା ଭାଇରସ ସଂକମଣ ନେଇ ଦେଶବାସୀଙ୍କ ଲାଗି ବଡ଼ ଆଶ୍ୱସ୍ତି ଖବର ଆସିଛି । ଦୀର୍ଘ ୩ ମାସ ପରେ ଭାରତରେ ଦୈନିକ ସଂକ୍ରମଣ ୫୦ ହଜାରରୁ ତଳକୁ ରହିଛି । ଏତଦ ବ୍ୟତୀତ ୭୦ ଦିନ ପରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି ।
କରୋନା ଉପରେ ନଜର ରଖିଥିବା ୱେବସାଇଟ ୱାଲଡୋମିଟର ତଥ୍ୟ ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୨ ହଜାର ୬୬୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ୯୦୮ ଜଣ ଲୋକ ପ୍ରାଣ ହରାଇଛନ୍ତି । ଚଳିତ ବର୍ଷ ଏପ୍ରିଲ ୧୨ ତାରିଖରେ କରେନାଜନିତ ମୃତ୍ୟୁ ୧୦୦୦ ଅତିକ୍ରମକରିଥିଲା । ରିପୋର୍ଟ ଅନୁସାରେ ୨୪ ଘଣ୍ଟା ପୂର୍ବରୁ ଦେଶରେ ୫୩ ହଜାର ୯ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଥିଲେ । ଏହି ସମୟ ମଧ୍ୟରେ ୧୧୧୩ ଜଣଙ୍କର ମୃତ୍ୟୁ ହୋଇଥିଲା ।
ଦେଶରେ ୨୪ ଘଣ୍ଟା ମଧ୍ୟରେ ୭୬ ହଜାର ୬୬୨ ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୭୦ ହଜାର ୯୯୮ ଥିବା ବେଳେ ଗୁରୁତର ରୋଗୀଙ୍କ ସଂଖ୍ୟା ୮ ହଜାର ୯୪୪ରେ ପହଂଚିଛି ।
ଦେଶରେ କରୋନାରେ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୯୯ ଲକ୍ଷ ୭୩ ହଜାର ୪୫୭ରେ ପହଂଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୮୮ ହଜାର ୨୬୮କୁ ବୃଦ୍ଧି ପାଇଥିବା କୁହାଯାଇଛି । କିନ୍ତୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଆସିବା ପରେ ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ କରୋନାଜନିତ ମୃତ୍ୟୁ ଓ ସଂକ୍ରମିତଙ୍କ ସଠିକ ତଥ୍ୟ ଆସିବ ।