ନୂଆଦିଲ୍ଲୀ: ଆଜି ବିଶ୍ୱ ଦେଖିବ ବିରାଟ ଟ୍ରାକ୍ଟର ପରେଡ୍। ଦିଲ୍ଲୀର ରାଜପଥରେ ଗଣତନ୍ତ୍ର ଦିବସ ପାଇଁ ପରେଡ୍ ହେଉଥିବା ବେଳେ ଏପଟେ ହକ୍ ପାଇଁ ଟ୍ରାକ୍ଟର ପରେଡ୍ ବା ‘କିଷାନ ଗଣତନ୍ତ୍ର ପରେଡ୍’ କରିବେ ଅନ୍ନଦାତା। ରାଲି ବେଳେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ସଜାଗ ରହିଛନ୍ତି ସୁରକ୍ଷାକର୍ମୀ। ପରେଡ୍ ଉପରେ ନଜର ରଖିବ ଡ୍ରୋନ୍। ଦିନ ୧୨ଟାରୁ ୫ଟା ପର୍ଯ୍ୟନ୍ତ ପରେଡ୍ କରିବାକୁ ଚାଷୀଙ୍କୁ ଦିଲ୍ଲୀ ପୋଲିସ ଅନୁମତି ଦେଇଛି। ଏହି ପରେଡ୍ରେ ପ୍ରାୟ ୨୦ହଜାର ଟ୍ରାକ୍ଟର ସାମିଲ ହେବ। ପ୍ରତି ଟ୍ରାକ୍ଟରରେ ୩ଜଣ ଲେଖାଏଁ ବସିବାକୁ ଅନୁମତି ମିଳିଛି। ତେବେ ଟ୍ରାକ୍ଟର ଛଡ଼ା ଅନ୍ୟ କୌଣସି ଗାଡ଼ି ଯଥା-ବାଇକ୍, ଜେସିବି, ଟ୍ରଲି, ବଳଦଗାଡ଼ି, ଘୋଡ଼ାଗାଡ଼ି ଆଦିକୁ ରାଲିରେ ସାମିଲ ହେବାକୁ ବାରଣ କରାଯାଇଛି। ଏହାଛଡ଼ା ରାଲି ବେଳେ ଚାଷୀମାନେ କୌଣସି ସମାବେଶ, ଧାରଣା ମଧ୍ୟ ନ କରିବାକୁ ସର୍ତ୍ତ ରଖିଛି ଦିଲ୍ଲୀ ପୋଲିସ। ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ୧୨ଟା ବେଳେ ଆରମ୍ଭ ହେବ ଟ୍ରାକ୍ଟର ପରେଡ୍। ଏ ନେଇ ଟିକ୍ରି, ସିଂଘୁ, ଗାଜିପୁର ସୀମାରେ ପ୍ରସ୍ତୁତ ରହିଛନ୍ତି ଚାଷୀ। ଟିକ୍ରି ସୀମାରେ ୬୩ରୁ ୬୪ କିଲୋମିଟର, ସିଂଘୁ ସୀମାରେ ୬୨ରୁ ୬୩ କିଲୋମିଟର ଓ ଗାଜିପୁରରେ ୪୬ କିଲୋମିଟର ରାସ୍ତା ଦେଇ ଟ୍ରାକ୍ଟର ପରେଡ ହେବ। ପୋଲିସ ସୂଚନା ଅନୁସାରେ ପରେଡ ସମୟରେ ବନ୍ଦ ରହିବ ଦିଲ୍ଲୀର ରିଙ୍ଗ ରୋଡର ସମସ୍ତ ଦୋକାନବଜାର। କୋଣ ଅନୁକୋଣରେ ଛାଇ ହୋଇ ରହିବେ ସୁରକ୍ଷାକର୍ମୀ। କୃଷକମାନଙ୍କ ପାଇଁ ମୁତୟନ ହେବେ ୧ ହଜାର ସ୍ବେଚ୍ଛାସେବୀ। ଟ୍ରାକ୍ଟରରେ ଲାଗି ପାରିବ ତିନି ପ୍ରକାର ପତାକା। କୃଷକ ସଙ୍ଗଠନ, ତ୍ରିରଙ୍ଗା ଓ ଖାଲସା ପନ୍ତ ପତାକା ଲଗାଇ ପାରିବେ ଚାଷୀ। ଯଦି କୌଣସି ବିଶୃଙ୍ଖଳା ପରିସ୍ଥିତ ସୃଷ୍ଟି ହୁଏ ତେବେ ଏଥିପାଇଁ କୃଷକ ନେତା ଦାୟୀ ରହିବେ ବୋଲି ପୋଲିସ ଚେତାଇ ଦେଇଛି। ତେବେ କୃଷି ମନ୍ତ୍ରୀ କହିଛନ୍ତି ସମସ୍ତ ଚାଷୀ ନୁହଁନ୍ତି, ପଞ୍ଜାବର କିଛି ଚାଷୀ ଆଇନକୁ ବିରୋଧ କରୁଛନ୍ତି। ତେବେ ଦିଲ୍ଲୀରେ ଚାଲିଥିବା କୃଷି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ଦେଶର ଅନେକ ଚାଷୀ ସଙ୍ଗଠନ।