ଆଜି ବିଶ୍ୱ ପରିବେଶ ଦିବସ। ଆମ ପରିବେଶକୁ ସୁରକ୍ଷିତ ରଖିବା ଦିଗରେ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି ଏବଂ ତଦନୁଯାୟୀ କାର୍ଯ୍ୟକ୍ରମ ହାତକୁ ନେବା ଏହି ଦିବସ ପାଳନର ଉଦ୍ଦେଶ୍ୟ। ଜାତିସଂଘ ପରିଷଦ ପକ୍ଷରୁ ୧୯୭୨ରେ ବିଶ୍ୱ ପରିବେଶ ଦିବସ ପାଳନ ନିଷ୍ପତ୍ତି ନିଆଯାଇଥିଲା ଏବଂ ୧୯୭୪ରେ ଏହା ପ୍ରଥମେ ଆମେରିକାର ପାଳନ କରାଯାଇଥିଲା। ସେହିବର୍ଷ ବିଶ୍ୱ ପରିବେଶ ଦିବସ ପାଳନର ବିଷୟବସ୍ତୁ ଥିଲା ‘କେବଳ ଗୋଟିଏ ପୃଥିବୀ’। ତାହା ପରବର୍ତ୍ତୀ ସମୟରେ ବିଶ୍ୱର ଶତାଧିକ ରାଷ୍ଟ୍ରରେ ପ୍ରତିବର୍ଷ ଜୁନ୍ ୫ ତାରିଖ ଦିନ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ଥିମ ରହିଛି ‘‘ଇକୋ ସିଷ୍ଟମ୍ ରିଷ୍ଟୋରେସନ୍ ’’ ବା ‘‘ପରିସଂସ୍ଥା ପୁନରୁଦ୍ଧାର ’’। ପ୍ରକୃତି ଉପରେ ମଣିଷର ମାତ୍ରାଧିକ ହସ୍ତକ୍ଷେପ ପରେ ବିଗିଡିଗଲାଣି ପରିବେଶ ସନ୍ତୁଳନ। ଏହାର ପ୍ରଭାବ ମଣିଷ ସମାଜ ଉପରେ ପଡ଼ିଛି। କେବଳ ଜନଜୀବନ ନୁହେଁ, ବରଂ ପରିବେଶ ଜଗତ ପାଇଁ ମହାବିପଦ ସୃଷ୍ଟି କଲାଣି। ଦିନକୁ ଦିନ ବଢୁଥିବା ତାପମାତ୍ରାରେ ଅତିଷ୍ଠ ହେଉଥିବା ବେଳେ ଏବେ କୋଭିଡ୍ ୧୯ ପରି ମହାମାରୀର ଶିକାର ହେଉଛି ମାନବ ସମାଜ। ପରିବେଶର ଆବଶ୍ୟକତା ଓ ସମାଜ ପାଇଁ ଏହାର ଅବଦାନ ନେଇ ସଚେତନ ହେବା ପାଇଁ ପ୍ରତିବର୍ଷ ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ।