ଭୁବନେଶ୍ୱର : ଚିଲିକାରେ ସରିଲା ପକ୍ଷୀଗଣନା କାର୍ଯ୍ୟକ୍ରମ । ଏହି ପକ୍ଷୀ ଗଣନାରେ ବନ୍ୟପ୍ରାଣୀ ବିଭାଗର କର୍ମଚାରୀମାନେ ସାମିଲ ହୋଇଥିଲେ । ଚିଲିକାରେ ଦେଶୀ-ବିଦେଶୀରୁ ପକ୍ଷୀଙ୍କ ସମାଗମ ହୋଇଥାଏ ଏବଂ ମାର୍ଚ୍ଚ ମାସରେ ( ଶୀତ ଋତୁ ପରେ ) ବିଦେଶୀ ପକ୍ଷୀ ପ୍ରତ୍ୟାଗମନ କରିଥାନ୍ତି। ମାତ୍ର କେତେକ ବିଦେଶୀ ପକ୍ଷୀ ନିଜ ନିଜର ଦେଶକୁ ନ-ଫେରି ଚିଲିକାକୁ ସୁରକ୍ଷିତ ମଣି ଏହିଠାରେ ରହି ଯାଆନ୍ତି । ତେଣୁ ଏହି ପକ୍ଷୀଙ୍କ ସଂଖ୍ୟା ଜାଣିବା ପାଇଁ ପ୍ରତି ବର୍ଷ ସରକାରୀ ସ୍ତରରେ ଗ୍ରୀଷ୍ମ କାଳୀନ ପକ୍ଷୀ ଗଣନା କରାଯାଇଥାଏ । ତେଣୁ ଚଳିତବର୍ଷ ଚିଲିକାରେ ୧୦୬ ପ୍ରଜାତିର ଦେଶୀ-ବିଦେଶୀ ପକ୍ଷୀ ଅଛନ୍ତି। ସେମାନଙ୍କ ସଂଖ୍ୟା ୪ ଲକ୍ଷ ୮ ହଜାର ୭୨୮ ଥିବା ଚିଲିକା ଡିଭିଜନ ଏସିଏଫ୍ ଶରତ ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି । ଗତବର୍ଷ ଚିଲିକାରେ ୧୦୬ ପ୍ରଜାତିର ଏବଂ ସେମାନଙ୍କ ସଂଖ୍ୟା ୪ ଲକ୍ଷ ୪ ହଜାର ୫୪୧ ଟି ଦେଶୀ-ବିଦେଶୀ ପକ୍ଷୀ ଥିଲେ ।ଗତବର୍ଷ ତୁଳନାରେ ଚଳିତ ବର୍ଷ ୪ ହଜାର ୧୮୭ ଟି ଦେଶୀ-ବିଦେଶୀ ପକ୍ଷୀ ଅଧିକ ଅଛନ୍ତି ।