ୱାଶିଂଟନ: ଆଉ ନାହାନ୍ତି ‘ଟାର୍ଜନ’ । ଦୁର୍ଘଟଣାରେ ଚାଲିଗଲେ ହଲିଉଡ ଅଭିନେତ ୱିଲିମ ଜୋସେଫ ଲାରା ଓରଫ ଜୋ ଲାରା । ଶନିବାର ବିମାନ ଦୁର୍ଘଟଣାରେ ୫୮ ବର୍ଷୀୟ ଜୋ ଲାରାଙ୍କ ଦେହାନ୍ତ ହୋଇଛି। ବିମାନରେ ଅଭିନେତା ଏବଂ ତାଙ୍କ ପତ୍ନୀଙ୍କ ସମେତ ଅନ୍ୟ ୫ ଜଣ ଥିଲେ। ଚନା ଅନୁଯାୟୀ, ଶନିବାର ଦିନ ଆମେରିକାର ଟେନେସି ହ୍ରଦରେ ଏକ ବିମାନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜୋ ଲାରାଙ୍କ ପତ୍ନୀ ଗ୍ୱେନ୍ ଶ୍ୟାମ୍ବଲିନଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। ଜେଟରେ ଅନ୍ୟ ୫ ଜଣ ମଧ୍ୟ ଲାରାଙ୍କ ସହ ଯାତ୍ରା କରୁଥିଲେ। ଏଥିସହିତ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ପୋଲିସ ମଧ୍ୟ ପହଞ୍ଚି ଘଟଣାର ତଦନ୍ତ କରୁଛି। ପୁଲିସ ଦେଇଥିବା ସୂଚନା ମୁତାବକ ଜୋ ଲାରା ଓ ତାଙ୍କ ପତ୍ନୀଙ୍କ ସମତେ ବ୍ରାଣ୍ଡନ ହାନା, ଡେଭିଡ ଏଲ୍ ମାର୍ଟିନ୍, ଜେନିଫର ଜେ ମାର୍ଟିନ୍, ଜୋସେଫ ୱାଲ୍ଟର୍ସ ଏବଂ ଜୋନାଥନ ୱାଲ୍ଟର୍ସଙ୍କ ମୃତ୍ୟୁ ହୋଇଛି । ଏ ସମସ୍ତ ମୃତକ ବ୍ରେଣ୍ଟଉଡର ବାସିନ୍ଦା ଥିଲେ। ଜୋଲାରା ୧୯୮୯ ରେ ଫିଲ୍ମ ‘ଟାର୍ଜନ ଇନ୍ ମ୍ୟାନହଟନ୍’ରେ ଟାର୍ଜନ ଭୂମିକାରେ ଅଭିନୟ କରିଥିଲେ। ଏହା ପରେ ସେ ଟିଭି ସିରିଜ୍ ‘ଟାର୍ଜନ: ଦି ଏପିକ୍ ଆଡଭେଞ୍ଚର୍ସ’ରେ ମଧ୍ୟ କାମ କରିଥିଲେ । ଏହି ସିରିଜରେ ଜୋ ଲାରାଙ୍କ ଅଭିନୟକୁ ଲୋକମାନେ ଭଲ ପାଉଥିଲେ । ଟାର୍ଜନ ଏକ ଆମେରିକୀୟ ଡ୍ରାମା ସିରିଜ୍ ଥିଲା, ଯାହାର ଏକ ସିଜନ ୧୯୯୬ରୁ ୧୯୯୭ ମଧ୍ୟରେ ପ୍ରସାରିତ ହୋଇଥିଲା । ଏହି ସିରିଜ୍ ଦକ୍ଷିଣ ଆଫ୍ରିକାର ସନ୍ ସିଟି ରିସର୍ଟରେ ସୁଟିଂ କରାଯାଇଥିଲା । ଶେଷଥର ପାଇଁ ତାଙ୍କୁ ୨୦୧୮ରେ ଫିଲ୍ମ ‘ସମର ଅଫ୍-୬୭’ରେ ଦେଖିବାକୁ ମିଳିଥିଲା । ଲାରା ସଙ୍ଗୀତରେ କ୍ୟାରିୟର କରିବାକୁ ଚାହୁଁଥିବାରୁ ୨୦୦୨ ମସିହାରେ ଅଭିନୟ ଦୁନିଆରୁ ବିଦାୟ ନେଇଥିଲେ।