ଭୁବନେଶ୍ୱର: ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପକୂଳ ଜିଲ୍ଲାରେ ବ୍ୟାପକ କ୍ଷତି ଘଟାଇଛି ୟସ୍। ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ୭ ଦିନ ରିଲିଫ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଜଳବନ୍ଦୀ ୧୨୮ ଗାଁର ସମସ୍ତ ପରିବାରକୁ ୭ଦିନ ରିଲିଫ୍ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନା ମୁତାବକ 12.30 ସମୟରେ ମୁଖ୍ୟମନ୍ତ୍ରୀ ଏହି କ୍ଷତିଗ୍ରସ୍ତ ଅଞ୍ଚଳକୁ ପରିଦର୍ଶନ କରିବା ପାଇଁ ବାହାରିବେ । ବାତ୍ୟା ୟାସ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାକୁ ହେଲିକପ୍ଟରରେ ଯୋଗେ ଯାଇ ସ୍ଥିତି ଦେଖିବେ ମୁଖ୍ୟମନ୍ତ୍ରୀ । ବାତ୍ୟା ‘ୟାସ୍’ ଯୋଗୁଁ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ବେଶୀ କ୍ଷୟକ୍ଷତି ହୋଇଛି । ବିଭିନ୍ନ ସ୍ଥାନରେ ରାସ୍ତାରେ ବଡ଼ ବଡ଼ ଗଛ ପଡିଛି । କେଉଁଠି ମୂଳ ମାଟିରୁ ଉପୁଡି ଯାଇଛି । ଲୋକଙ୍କ ଘର ଉପରେ ମଧ୍ୟ ପଡ଼ିଛି ଗଛ । ବିଦ୍ୟୁତ ଖୁଣ୍ଟି ଭାଙ୍ଗି ଯାଇଛି । ବଡ଼ ବଡ଼ ହୋର୍ଡିଂ ସବୁକୁ ଫିଙ୍ଗି ଦେଇଛି ପବନ । ବାତ୍ୟା ଅପସରି ଯାଇଥିବା ବେଳେ ଜୋରଦାର ହୋଇଛି ପୁନରୁଦ୍ଧାର କାମ । ପ୍ରଭାବିତ ଅଞ୍ଚଳରେ ଓଡ୍ରାଫ, ଏନଡିଆରଏଫ୍ ଓ ଅଗ୍ନିଶମ ବାହୀନି ଗଛ ପଡ଼ିଥିବା ସ୍ଥାନରେ ସଫେଇକୁ ଜୋରଦାର କରିଛନ୍ତି । ବିଭିନ୍ନ ଜିଲ୍ଲାରେ ୬୦ରୁ ଓଡ୍ରାଫ ଟିମ୍, ଏନଡିଆରଏଫର ୫୨ଟି ଟିମ୍ ଓ ଅଗ୍ନିଶମ ବାହିନୀର ଶହେରୁ ଅଧିକ ଟିମ୍ ମୁତୟନ ଅଛନ୍ତି ।