2ବର୍ଷ ପୂରିଲା ଫୋନି ବାତ୍ୟାକୁ । ଆଜି ବି ମନେପଡୁଛି ସେଇ ଛାତିଥରା ଦୃଶ୍ୟ । 2019 ମସିହା ମେ 3ତାରିଖରେ ପ୍ରଳୟଙ୍କାରୀ ସାମୁଦ୍ରିକ ବାତ୍ୟା ଫୋନି ରଚିଥିଲା ତାଣ୍ଡବ। ଫୋନି ବାତ୍ୟାରେ ଛାରଖାର ହୋଇ ଯାଇଥିଲା ଓଡିଶାର ଅଧା ଜିଲ୍ଲା । ଫୋନି ବାତ୍ୟାରେ କ୍ଷୟକ୍ଷତି ହୋଇଥିଲା 14ଟି ଜିଲ୍ଲା । ଭୟଙ୍କର ଭାବେ ଆସି ସବୁ କିଛି ଛାରଛାର କରିଦେଲା ବାତ୍ୟା । ପ୍ରବଳ ବେଗରେ ସମୁଦ୍ରରୁ ସ୍ଥଳଭାଗ ଆଡେ ମାଡି ଆସିଥିଲା ଏହି ଫୋନି ବାତ୍ୟା । ବିଶେଷ ଭାବରେ ଶ୍ରୀହୀନ ହୋଇପଡିଥିଲା ପୁରୀ ଜିଲ୍ଲା । ରାଜଧାନୀ ଭୁବନେଶ୍ୱର ମଧ୍ୟ ଏହି ବାତ୍ୟାର ପ୍ରଭାବରୁ ବର୍ତ୍ତି ପାରିନଥିଲା । ସବୁ ସୌନ୍ଦର୍ଯ୍ୟ ଯେପରି ହଜିଗଲା । ଝିପିଝିପି ବର୍ଷାରୁ ଆରମ୍ଭ ହୋଇଥିଲା କାଳ ତାଣ୍ଡବ । ବିକଟାଳ ଗର୍ଜନ ଶବ୍ଦ ସହ ମାଡି ଆସିଥିଲା ବାତ୍ୟା ଫୋନି । କରାଳ ରୂପ ଫୋନି ବାତ୍ୟାରେ 18,168 ଗ୍ରାମ ଛାରଖାର ହୋଇଥିଲା । 1କୋଟି 65 ଲକ୍ଷ 30ହଜାର 9 ଶହ ଲୋକ ପ୍ରଭାବିତ ହୋଇଥିଲେ। 6ଟି ଜିଲ୍ଲାରେ ମୋଟ 43 ଜଣ ମୃତ୍ୟୁବରଣ କରିଥିଲେ । ସବୁଠାରୁ ଅଧିକ ପୁରୀ ଜିଲ୍ଲାରେ ମୋଟ 21 ଜଣ ମୃତ୍ୟ ହୋଇଥିଲେ । 5ଲକ୍ଷ 8 ହଜାର 467ଟି ଘର ନଷ୍ଟ ହୋଇପଡିଥିଲା । ବିଜୁଳି ଲିଭିଗଲା । ଫବନର ବେଗରେ ଗଛ ପଡିଲା । ଘର ଦ୍ୱାର ଭାଙ୍ଗିଗଲା । ଆଜି ବି ଫୋନି ବାତ୍ୟା ମାଡରେ ଅଣ୍ଟା ଟେକି ପାରିନି ଓଡିଶା । ଫଳରେ ଲୋକମାନେ ଆଜିବି ପଲିଥିନ ତଳେ ଜୀବନ କାଟୁଛନ୍ତି । ଫୋନି ବାତ୍ୟା କ୍ଷୟକ୍ଷତି ପରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଅର୍ଥ ଯୋଗାଇ ଦେଇଛନ୍ତି । କିନ୍ତୁ ଆଜିବି ଫୋନି ବିପନ୍ନ ସହାୟତା ପାଇବାରୁ ବଞ୍ଚିତ ହୋଇଥିବା ବେଳେ ଖୋଲା ଆକାଶ ତଳେ ଜୀବନ କାଟୁଛନ୍ତି ।