ଭୁବନେଶ୍ୱର : ଲୋକଙ୍କ ମନରେ କରୋନାକୁ ନେଇ କୋକୁଆ ଭୟ । 11 ଘଣ୍ଟା ପଡ଼ି ରହିଲା ମୃତଦେହ । ଶବକୁ ଛୁଇଁବା ତ ଦୂରର କଥା, କେହି ବି ପାଖ ମାଡ଼ିଲେନି । ନିଜ ଲୋକ ମଧ୍ୟ ଶବକୁ ଦେଖି ନଦେଖିଲା ଭଳି ବ୍ୟବହାର କରୁଛନ୍ତି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ସମରଝୋଳ ଗାଁରେ । ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ସମରଝୋଳ ଗ୍ରାମର ଡି ଗୋବିନ୍ଦଙ୍କ ମୃତ୍ୟୁ ଘଟିଥିଲା । ତାଙ୍କର ମୃତ୍ୟୁ ପରେ କରୋନା ଭୟରେ କେହି ତାଙ୍କ ପାଖ ମାଡ଼ିନାହାଁନ୍ତି । ଆଜିକାଲି କରୋନାର ଭୟ ଏତେ ବଢିଯାଇଛି ଯେ, ସାଧାରଣ ରୋଗରେ କାହାର ମୃତ୍ୟୁ ହେଲେ ବି ପଡୋଶୀ ପାଖକୁ ଆସୁନାହାଁନ୍ତି । ସାହାଯ୍ୟ କରିବା ତ ଦୂରର କଥା ଆହାଃ ପଦେ କହିବାକୁ ମଧ୍ୟ କେହି ନାହାଁନ୍ତି । ନିଜ ଲୋକ ମଧ୍ୟ ଶବକୁ ଦେଖି ନଦେଖିଲା ଭଳି ହେଉଛନ୍ତି । ଦୀର୍ଘ 11 ଘଣ୍ଟା କାଳ ଶବ ପଡ଼ି ରହିବା ପରେ ପ୍ରଶାସନ ପକ୍ଷରୁ ଶବ ମଶାଣି ନିଆଯିବା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଶବ ସଂସ୍କାର ପାଇଁ ହିଂଜିଳି ବିଡିଓ ସୁବ୍ରତ କୁମାର ଜେନା, ଏନଏସି ଅଧିକାରୀ ମନୋରଞ୍ଜନ ସାହୁ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପିପିଇ କିଟ ପିନ୍ଧି ମୃତଦେହ ନେବା ସହ ଅନ୍ତିମ ସଂସ୍କାର କରାଯାଇଥିଲା । ପ୍ରଶାସନର ଏପରି କାର୍ଯ୍ୟକୁ ସବୁଠି ପ୍ରଶଂସା କରାଯାଇଛି । ଏପରିକି ଜିଲ୍ଲାପାଳ ମଧ୍ୟ ଟ୍ବିଟ କରି ପ୍ରଶାସନିକ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।