କଟକରେ କରୋନା ଟୀକାକୁ ନେଇ ଉତ୍ତେଜନା ଦେଖାଦେଇଛି । ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ ଟୀକା ଦିଆଯାଉ ନଥିବାରୁ ତାତିଲେ ଲୋକେ । ଟୀକା ପାଇଁ ଆସିଥିବା ଲୋକେ ପ୍ରବଳ ପାଟିତୁଣ୍ଡ ଓ ହୋହଲ୍ଲା କରିଛନ୍ତି । ପୋଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । ସିଡିଏ ସେକ୍ଟର 7 ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଟୀକାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଟୀକା ନେବାପାଇଁ ଆସିଥିବା ଲୋକଙ୍କୁ ନଦେଇ ବାହାରକୁ ଟୀକା ସପ୍ଳାଇ କରାଯାଉଥିବାର ଅଭିଯୋଗ କରିଛନ୍ତି ଲୋକେ । ଉତ୍ୟକ୍ତ ଲୋକେ ଟୀକା ନେଇ ଯାଉଥିବା ଗାଡ଼ିକୁ ମଧ୍ୟ ଅଟକେଇଛନ୍ତି । ଦ୍ୱିତୀୟ ଡୋଜ ଟୀକା ନେବାପାଇଁ ଆସୁଥିବା ଲୋକଙ୍କୁ ମଧ୍ୟ ଟୀକା ନଦେଇ କାହିଁକି ଟୀକା ଅଲଗା ସ୍ଥାନକୁ ସ୍ଥାନାନ୍ତର କରାଯାଉଥିଲା ବୋଲି ଅଭିଯୋଗ କରିଛନ୍ତି ଲୋକେ । ଟୀକା ନେବା ପାଇଁ ଲୋକ ସକାଳ 8ଟାରୁ ଆସି ଜଗିଥିବା ବେଳେ ଏଯାଏଁ ଟୀକାକରଣ ହୋଇପାରିନାହିଁ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଇବା ସହ ସପ୍ଲାଇ ହେଉଥିବା ଟୀକାକୁ ମେଡିକାଲରେ ରଖାଯାଇଛି । ତେବେ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଟୀକା ଦିଆଯିବା ପାଇଁ ପ୍ରତିଶ୍ରୁତି ଦେଇଛି ପୋଲିସ। ଅନ୍ୟପଟେ କଟକ ଜିଲ୍ଲାରେ କରୋନା କାୟା ବିସ୍ତାର କରିସାରିଲାଣି । ଦୈନିକ ସଂକ୍ରମଣ ବଢୁଛି । ଆଜି କଟକରୁ 198 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।