ଭୁବନେଶ୍ୱର : ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆଜି ରାଜ୍ୟରେ ୬୫୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ଦ୍ୱିତୀୟ ସର୍ବାଧିକ ନୂଆପଡା ଜିଲ୍ଲାରୁ ୫୫୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଏହି କରୋନା କଟକଣାକୁ ଆଖି ଆଗରେ ରଖି ବିଭିନ୍ନ କାର୍ଯ୍ୟାନୁଷ୍ଠାନରେ ସାମାଜିକ ଦୁରତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହାରି ଭିତରେ ବ୍ୟାଙ୍କ ଗୁଡ଼ିକରେ ଅନେକ ଲୋକ କରୋନା ପଜିଟିଭ୍ ମଧ୍ୟ ଚିହ୍ନଟ ହେଲେଣି । ତେବେ ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ବ୍ୟାଙ୍କରେ ଗ୍ରାହକ ସେବା ସମୟରେ ପରିବର୍ତ୍ତନ କରାଯାଇଛି ଯାହାଫଳରେ ଆଜିଠାରୁ ବ୍ୟାଙ୍କଗୁଡିକ ସକାଳ ୧୦ଟାରୁ ଅପରାହ୍ଣ ୨ଟା ଯାଏ ଗ୍ରାହକ ସେବା ଯୋଗାଇବେ । ବ୍ୟାଙ୍କିଂ ସେବା ୧୦ଟାରୁ ୪ଟା ପର୍ଯ୍ୟନ୍ତ ଖୋଲା ରହିବ । କିନ୍ତୁ ଗ୍ରାହକ ସେବା ୨ଟା ଯାଏ ମିଳିବ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏବେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ବ୍ୟାଙ୍କ ଚାଲିବ । ଯେଉଁ ବ୍ୟାଙ୍କରେ କମ୍ ସଂଖ୍ୟକ କର୍ମଚାରୀ ଥିବେ ସେଠାରେ ଅତି କମରେ ୫ଜଣ କର୍ମଚାରୀ ରହିବାକୁ ପଡ଼ିବ ।