ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ୍ ସଂକ୍ରମଣ ବିଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱ ରେକର୍ଡ କରିଛି । ଏହି ସମୟ ମଧ୍ୟରେ ଭାରତରେ ୩.୧୬ ଲକ୍ଷ ଲୋକ ପଜିଟିଭ ଚିହ୍ନଟ ହୋଇସାରିଛନ୍ତି । ମହାମାରୀ ଆରମ୍ଭ ହେବା ଦିନ ଠାରୁ ବିଶ୍ୱର ଯେକୌଣସି ଦେଶ ତୁଳନାରେ ଏହା ସର୍ବାଧିକ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କରୋନା ଭାଇରସ ନେଇ ବିଗତ ୨୪ ଘଣ୍ଟା ମଧ୍ୟରେ ଯଦିଓ ରିପୋର୍ଟ ପ୍ରକାଶ ପାଇ ନାହିଁ, ତଥାପି ଖବର ଲେଖାଯିବା ବେଳକୁ ୱାଲଡୋମିଟର ୱେବସାଇଟର ତଥ୍ୟ ଅନୁସାରେ ଦେଶରେ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୧୫ ହଜାର ୯୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୨ ହଜାର ୧୦୨ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ କରୋନା ସଂକ୍ରମିତ ମୋଟ ସଂଖ୍ୟା ୧.୫୯ କୋଟିରୁ ଅଧିକ । ଏଥି ସହିତ ୧.୮୪ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୨.୯ ଲକ୍ଷରୁ ଅଧିକ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭାରତରେ କୋଭିଡ-୧୯ର ନୂଆ ସଂକ୍ରମଣ ପ୍ରଥମ ଥର ପାଇଁ ୩ ଲକ୍ଷ ଅତିକ୍ରମ କରିଛି । ଏହା ଆମେରିକାର ଦୈନିକ ସଂକ୍ରମଣ ରେକର୍ଡକୁ ଅତିକ୍ରମ କରିଛି । ଏହା ପୂର୍ବରୁ ଗତ ଜାନୁଆରୀ ୮ ତାରିଖରେ ଆମେରିକାରେ ସର୍ବାଧିକ ୩ ଲକ୍ଷ ୭ ହଜାର ୫୮୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଭାରତରେ ଦୈନିକ ସଂକ୍ରମଣ ୧ ଲକ୍ଷରୁ ୩ ଲକ୍ଷ ପହଂଚିବା ଲାଗି ୧୭ ଦିନ ସମୟ ଲାଗିଛି । ଆମେରିକାରେ ୧ ଲକ୍ଷରୁ ୩ ଲକ୍ଷ ଦୈନିକ ସଂକ୍ରମଣ ପହଂଚିବାକୁ ୬୭ ଦିନ ସମୟ ଲାଗିଥିଲା ।