ରାଜ୍ୟରେ ଏବେ ତାପମାତ୍ରା ସାମାନ୍ୟ ତମ ହ୍ରାସ ପାଇଥିବା ବେଳେ ତାତିରୁ ସମ୍ପୂର୍ଣ୍ଣ ଭାବରେ ଆସ୍ୱସ୍ତି ମିଳିବାକୁ ଯାଉଛି । ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ର ସମ୍ଭାବନା ରହିଛି। ଏହାକୁନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୨୧ ଟି ଜିଲ୍ଲାକୁ ସତର୍କ ସୂଚନା ସହିତ ୟେଲୋ ୱାଣ୍ଣିଂ ଜାରି କରାଯାଇଛି । ଜାରି ସତର୍କ ସୂଚନା ମତାବକ ଆଜି ଅପରାହ୍ନ ୧ଟା ୩୦ଘଣ୍ଟା ମଧ୍ୟରୁ ଆସନ୍ତାକାଲି ସକାଳ ୮ଟା୩୦ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଦେବଗଡ, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ରାୟାଗଡା, ନବରଙ୍ଗପୁର, ଗଜପତି, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ସୋନପୁର, ବରଗଡ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର ପ୍ରଭୃତି ୨୧ଟି ଜିଲ୍ଲାର ଅନେକ ସ୍ଥାନରେ ବଜ୍ରପାତ ଏବଂ କୁଆପଥର ବର୍ଷା ସହିତ ବିଜୁଳି ଓ ଘଡ଼ଘଡ଼ି ସହ ପବନର ବେଗ ୪୦-୫୦ କିଲୋମିଟର ରହି କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ୨୧ଜିଲ୍ଲାକୁ ହଳଦିଆ ଚେତାବନୀ ବା ୟେଲୋ ୱାର୍ଣ୍ଣିଂ ଜାରି କରିବା ସହ କାଳବୈଶାଖୀ ଓ ବଜ୍ରପାତ ସମୟରେ ଘର ଭିତରୁ ପଦାକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଏଥିସହିତ ରାଜ୍ୟର ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।