ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦ ଏବେବି ଜାରି ରହିଛି । ଆଉ ଦେଢ ମାସ ପରେ , ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ ବା ଏଲଏସି ରେ ଭାରତୀୟ ଏବଂ ଚୀନ୍ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ କୁ ଏକ ବର୍ଷ ପୂରଣ ହେବ । ଗୋଟିଏ ବର୍ଷ ମଧ୍ୟରେ ସୀମା ବିବାଦର ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ଅନେକ ରାଉଣ୍ଡ ଆଲୋଚନା ହୋଇଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଠୋସ୍ ସିଦ୍ଧାନ୍ତ ନିଆଯାଇ ପାରିନାହିଁ । ଏବେ ପୁଣି ଡ୍ରାଗନ୍ ର ଦାଦଗିରି ଦେଖିବାକୁ ମିଳିଛି । ସୀମାନ୍ତ ଅଞ୍ଚଳରୁ ନିଜ ସୈନ୍ୟ ପ୍ରତ୍ୟାହାର ପାଇଁ ଏବେ ପଛ ଘୁଞ୍ଚ । ଦେଉଛି ଚୀନ । ଯାହା ପୂର୍ବ ବର୍ଷ ଭଳି ଆଉ ଏକ ବିବାଦକୁ ଆମନ୍ତ୍ରୀତ କରୁଥିବା ଆଶଙ୍କା କରାଯାଉଛି । ସୂଚନା ଅନୁସାରେ ଦୁଇ ଦେଶ ମଧ୍ୟରେ ହୋଇଥିବା କଥାବାର୍ତ୍ତା ବେଳେ ଚୀନ୍ କହିଛି ଯେ ଭାରତ ଏପର୍ଯ୍ୟନ୍ତ ଯାହା ହାସଲ କରିଛି ସେଥିରେ ଖୁସି ହେବା ଉଚିତ୍ । ଏହାର ଅର୍ଥ ହେଉଛି ଭାରତୀୟ ସୀମାରୁ ଚୀନ ନିଜ ସୈନ୍ୟ ପ୍ରତ୍ୟାହାର କରୁ ବୋଲି ଭାରତ ଆଶା ନକରୁ । ଆଶା କରାଯାଉଥିଲା ଯେ ଦୁଇ ଦେଶ ମଧ୍ୟରେ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ସମୟରେ ଚୀନ୍ ନିଜର ସେନା ପ୍ରତ୍ୟାହାର କରିବାକୁ ରାଜି ହେବ, କିନ୍ତୁ ଏବେ ତାର ଓଲଟା ପରିଲକ୍ଷିତ ହେଉଛି । ଏପ୍ରିଲ ୯ ରେ ଦୁଇ ଦେଶ ମଧ୍ୟରେ କମାଣ୍ଡର ସ୍ତରୀୟ ଆଲୋଚନା ପରେ ଚୀନ୍ ହଟ ସ୍ପ୍ରିଙ୍ଗ ଏବଂ ଗୋଗ୍ରା ପୋଷ୍ଟରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ମନା କରିଦେଇଥିଲା । ଏହି କାରଣରୁ, ଡେପସଙ୍ଗ ସମତଳ ସମେତ ଅନ୍ୟାନ ଅଞ୍ଚଳରେ ଏବେ ସୈନ୍ୟ ମୁତୟନ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହେଉଛି । ୨୦୨୦ ରେ ମଧ୍ୟ ସମାନ ଭାବରେ ଚୀନ ବିବଦୀୟ ପେଟ୍ରୋଲିଂ ପଏଣ୍ଟରୁ ନିଜ ସୈନ୍ୟ ପ୍ରତ୍ୟାହାର କରିବାକୁ ରାଜି ହୋଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଚୀନ ନିଜ କଥାରୁ ଓହରି ଯାଇଥିଲା ଯାହାକୁ ନେଇ ଆଜି ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ବିବାଦ ଚାଲି ଆସୁଛି । ତେବେ ଗଲୱାନ ସଂଘର୍ଷ ପରଠାରୁ ଭାରତ-ଚୀନ ସୀମା ବିବାଦ ଦିନକୁ ଉଗ୍ର ରୂପ ନେବାରେ ଲାଗିଛି । ସମାଧାନର ବାଟ ଏବଂ ଆପୋସ ବୁଝାମଣା ମାଧ୍ୟମରେ ସମାଧାନ କଥା କହୁଥିବା ଚୀନ ଯେ କେବଳ ଚାଲାକି କରୁଛି ତାହା ଆଉ ଏବେ ଅଛପା ନାହିଁ ।