ସୁକିନ୍ଦା ଖଣି ଅଞ୍ଚଳରେ ଥିବା ଅନ୍ତର୍ଗତ କୋଳିପଶି ଟ୍ରକ ପାର୍କିଂରୁ ଜଣେ ଡ୍ରାଇଭରଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ମୃତ ଡ଼୍ରାଇଭର ପରିବାରକୁ ୩୦ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଦାବି ରଖି ଡ଼୍ରାଇଭର ମହାସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ସୂଚନା ମୁତାବକ ନୟାଗଡ଼ ଅଞ୍ଚଳର ସାଗର ସିଂ ନାମକ ଯୁବକ ନିଜ ଟ୍ରକ ନେଇ ସୁକିନ୍ଦା ଖଣି ଅଞ୍ଚଳକୁ ମାଲ ବୋଝେଇ କରିବା ପାଇଁ ଯାଇଥିବା ବେଳେ କୋଳିପଶି ଟ୍ରକ ପାର୍କିଂ ୟାଡରୁ ସାଗରକୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସାଗରକୁ ମୃତ ଘୋଷଣା କରିବା ସହ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରୀ ରଖିଛି।ଟ୍ରକ ପାର୍କିଂ ସ୍ଥଳରେ ଡ଼୍ରାଇଭର ମାନଙ୍କ ପାଇଁ କୌଣସି ସୁବିଧା ନଥିବାରୁ ବାହାରକୁ ଶୌଚ ଯିବା ସମୟରେ କୌଣସି ବିଷାକ୍ତ ସରୀସୃପ କାମୁଡ଼ାରେ ମୃତ୍ୟୁ ଘଟିଥିବା ଡ଼୍ରାଇଭର ମହାସଂଘ ଅଭିଯୋଗ କରିଛି। ସଂପୃକ୍ତ ଖଣି ପକ୍ଷରୁ ମୃତ ସାଗର ପରିବାରକୁ ୩୦ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସଂଘ ଦାବିକରି ଆନ୍ଦୋଳନ ଜାରି ରଖିଛି। ଏହି ଆନ୍ଦୋଳନରେ ଶତାଧିକ ସଦସ୍ୟ ଉପସ୍ଥିତଥିବା ଦେଖିବାକୁ ମିଳିଛି।