ଗତ କିଛି ଦିନ ହେଲା ରାଜ୍ୟରେ ପାରଦ ୪୦ ଡ୍ରିଗ୍ରୀ ଉପରେ ରହୁଥିବା ବେଳେ ତାତିରେ ଅସ୍ତବ୍ୟସ୍ତ ହୋଇ ପଡୁଛନ୍ତି ରାଜ୍ୟବାସୀ । ଏବେ ଏହି ତାତିରୁ ମିଳିବ ତ୍ରାହି । ରାଜ୍ୟରେ ଆସନ୍ତା ୩ ଦିନ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।ଆଜି ଠାରୁ ରାଜ୍ୟରେ ୧୨ ଟି ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଥିବା ବେଳେ ଏହି ସବୁ ଜିଲ୍ଲା ଗୁଡିକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଲା- ଗଜପତି, ଗଞ୍ଜାମ, କନ୍ଧମାଳ, ମାଲକାନଗିରି, କୋରାପୁଟ, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲା । ଏହି ୧୨ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ରହିବ । ଏସବୁ ଜିଲ୍ଲା ବ୍ୟତୀତ ରାଜ୍ୟର ଅନ୍ୟ କିଛି ସ୍ଥାନରେ ମଧ୍ୟ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ରବିବାର ଓ ସୋମବାର ମଧ୍ୟ କାଳବୈଶାଖୀ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି ।