ଆର ଡ଼ି ବିଭାଗର ରାସ୍ତା କାମରେ ନିମ୍ନମାନର କାମ । ବିନା ମେଣ୍ଟାଲିଂ ରେ କାମ ହେଉଛି। ମେଣ୍ଟାଲ ବଦଳରେ ଧସା ବାଲିରେ କାମ ଚଳାଇ ଦେଉଛି ଠିକାଦାର। ଯାହା ହାତ ମାରିଲେ ଫଡ ଫଡ ହୋଇ ଉଠି ଯାଉଛି। ଏହି କାମକୁ ଦେଖି ଏବେ ସ୍ଥାନୀୟ ଲୋକେ ତାତିଛନ୍ତି।
ନିମ୍ନମାନର କାମ ହେଉଥିବା ଅଭିଯୋଗ ଆଣି ସରକାରଙ୍କ ଟଙ୍କା ଏମିତି ବାଟମାରଣା ହେଉଛି ବୋଲି ନିଶାନା କରିଛନ୍ତି ଅଞ୍ଚଳବାସୀ । ମହାକାଳପଡ଼ା ବ୍ଲକ ଦେଉଳପଡା ପଞ୍ଚାୟତର ଦେଉଳ ପଡା ଠାରୁ ବାଙ୍କି ଛନ୍ଦା ପର୍ୟ୍ୟନ୍ତ ଏହି ରାସ୍ତା କାମ ଆର୍.ଡି ବିଭାଗ ତରଫରୁ କରାଯାଉଛି। ଦୁଇ କଡ଼ରେ ଢଳେଇ କାନ୍ଥ ନିର୍ମାଣ ପାଇଁ ଯେଉଁ କଂକ୍ରିଟ ହେବା କଥା ସେଥିରେ ମେଣ୍ଟାଲ ଖଣ୍ଡେ ନାହିଁ। ଧସା ବାଲିରେ ବେସ୍ କରି ଢଳେଇ କରାଯାଉଛି। ଯାହାର ସ୍ଥାୟିତ୍ୱ କୁ ନେଇ ପ୍ରଶ୍ନ ଉଠୁଛି। କାମ ପାଖରେ ସରକାରୀ ଯନ୍ତ୍ରୀଙ୍କ ଦେଖା ନାହିଁ। ଯାହା ଫଳରେ ମନଇଛା କାମ କରୁଛନ୍ତି ଠିକାଦାର। ଠିକ୍ ପରିମାଣରେ ଭାଗ ଦିଆଯାଉନି । ଲୋକେ ନିମ୍ନମାନର କାର୍ୟ୍ୟ ବିଷୟରେ ଜେଇଙ୍କୁ ଫୋନ୍ କଲେ ବାବୁ ଫୋନ୍ ଉଠାଉ ନାହାଁନ୍ତି। ତେଣୁ ସରକାରଙ୍କ ମାଲ୍ ଦରିଆ ମେ ଡାଲ୍ ଭଳି ଘଟଣା ଏବେ ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି।
କାହା ଛତ୍ରଛାୟାରେ ଅଛନ୍ତି ଜେଇ ମହାଶୟ? କାହିଁକି କାମ ପାଖରେ ଉପସ୍ଥିତ ରହୁ ନାହାଁନ୍ତି? ମେଣ୍ଟାଲ ବଦଳରେ ବାଲି ବିଛାଇ କାମ କରିବାକୁ କିଏ ଦେଲା ଅନୁମତି? ଏମିତି ପ୍ରଶ୍ନ ଏବେ ଲୋକେ ଉଠାଇଛନ୍ତି। ରାସ୍ତା କାମ ରେ ହରିଲୁଟ ଅଭିଯୋଗ କରି ସମସ୍ତେ ଏଥିରେ ସାମିଲ ଥିବା ସେମାନେ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ଏ ଘଟଣାରେ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।