ନୀରବି ଯାଇଛନ୍ତି ଉତ୍ତମ । ଆଉ ଫେରିବେନି ଦଣ୍ଡା ବାଳୁଙ୍ଗା । ୬୭ ବୟସରେ ଚିରନିଦ୍ରାରେ ଶୋଇ ଯାଇଛନ୍ତି ଓଲିଉଡର ଏହି ଦିଗଜ କଳାକାର । ତାଙ୍କ ବିୟୋଗ କେବଳ ଚଳଚିତ୍ର ଜଗତ ନୁହେଁ ବରଂ ସାରା ଓଡିଶା ପାଇଁ ଅପୂରଣୀୟ କ୍ଷତି । ଓଡିଆ ସିନେ ଜଗତର ସୁପରଷ୍ଟାର ଥିଲେ ଉତ୍ତମ ମହାନ୍ତି । ଚଳଚ୍ଚିତ୍ର ଜଗତରେ ଦୀର୍ଘ ୩ଦଶନ୍ଧି ଧରି ନିଜର ପତିଆରା ଜାହିର କରିଆସୁଥିଲେ । ସେ ଅଶୀ ଦଶକରେ ଥିଲେ ଅପ୍ରତିଦ୍ୱନ୍ଦ୍ୱୀ। ମନଛୁଆଁ ଅଭିନୟ ସାଙ୍ଗକୁ ଷ୍ଟାଇଲିସ୍ ଲୁକ୍ ପାଇଁ ସେ ଘରେଘରେ ପରିଚିତ ଥିଲେ। ୨୩ ଡିସେମ୍ୱର ୧୯୫୮ରେ ମୟୂରଭଞ୍ଜର ବାରିପଦାରେ ଜନ୍ମଗ୍ରହଣ କରିଥିଲେ ଉତ୍ତମ ମହାନ୍ତି। ଦିନେ ଅଭିନେତା ହେବାକୁ କେବେବି ଭାବିନଥିବା ମଣିଷ ପରିବର୍ତ୍ତୀ ସମୟରେ ହୋଇଯାଇଥିଲେ ସୁପରଷ୍ଟାର ଆଉ ପ୍ରତିଟି ଦର୍ଶକଙ୍କ ହୃଦୟରେ ରାଜ କରିଥିଲେ। ୧୯୭୭ରେ ‘ଅଭିମାନ’ ଚଳଚ୍ଚିତ୍ରରୁ ଉତ୍ତମଙ୍କ ଅଭିନୟ କ୍ୟାରିୟର୍ ଆରମ୍ଭ ହୋଇଥିଲା। ଏହାର ଦୁଇ ବର୍ଷ ପରେ ୧୯୭୯ରେ ପତିପତ୍ନୀରେ ଅଭିନୟ କରିବା ପରେ ସେ ଆଉ ପଛକୁ ଚାହିଁନଥିଲେ।
ସେହିପରି ୧୯୮୦ରେ ରାମାୟଣ, ରାମ ବଳରାମ ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଉତ୍ତମ । ପୁଣି ୧୯୮୪ରେ ଦଣ୍ଡାବାଳୁଙ୍ଗା ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଥିଲା। ୧୯୯୦ରେ ଶାସ୍ତି, ଗୋପରେ ବଢୁଛି କଳା କହ୍ନେଇ, ରାଜାରାଣୀ, କଣ୍ଢେଇ, ବିଧିର ବିଧାନ ଓଡ଼ିଆ ଦର୍ଶକଙ୍କର ମନ ଛୁଇଁଛି। ପରେ ପରେ ଏଯୁଗର କୃଷ୍ଣସୁଦାମା, ଉଦଣ୍ଡୀ ସୀତା, ଜୋରଦାର ମୁଲକ ତାର, ଦେଖ ଖବର ରଖ ନଜର, ଲକ୍ଷ୍ମଣ ରେଖା, ପରଦେଶୀ ଚଢେଇ ଭଳି ଅନେକ ସୁପର ହିଟ୍ ଫିଲ୍ମ ସେ ଭେଟି ଦେଇଛନ୍ତି ଦର୍ଶକଙ୍କୁ। ଶେଷ ଯାଏଁ ସେ ୧୩୦ରୁ ଅଧିକ ଓଡିଆ ଫିଲ୍ମ ସହ ୩୦ଟି ବଙ୍ଗଳା ଫିଲ୍ମ ଓ ଗୋଟିଏ ହିନ୍ଦୀ ଫିଲ୍ମରେ ଅଭିନୟ କରି ନିଜ ଅଭିନୟର ଛାପ ଛାଡିଯାଇଛନ୍ତି।
ସେହିପରି ‘ଯେ ପକ୍ଷୀ ଉଡ଼େ ଯେତେ ଦୂର’, ‘ସାରା ଆକାଶ’, ‘ପଣତକାନି’, ‘ଉତ୍ତରଦାୟୀ’ ଭଳି ଏକାଧିକ ଧାରାବାହିକରେ ତାଙ୍କ ଅଭିନୟ ଦର୍ଶକଙ୍କ ହୃଦୟକୁ ବେଶ୍ ଛୁଇଁଥିଲା। ଏଥିସହିତ ତାଙ୍କ ଅଭିନୀତ ‘ଦଣ୍ଡାବାଳୁଙ୍ଗା’ ଚଳଚ୍ଚିତ୍ରର ‘ଦଣ୍ଡା ବାଳୁଙ୍ଗା ମୁଁ..’, କନ୍ୟାଦାନ ଚଳଚ୍ଚିତ୍ରର ‘ଗୋରୀ ଲୋ ଗୋରୀ..’, ଉଦଣ୍ଡୀ ସୀତାର ‘ସରପଞ୍ଚ ବାବୁ..’, ରଞ୍ଜନୀ ଗନ୍ଧାର ‘ତୁ ମୋର ସ୍ବପ୍ନର ସୁନେଲୀ ସନ୍ଧ୍ୟା..’, ଭଳି ଅନେକ ହିଟ୍ ଗୀତ ଆଜିବି ଚିରସବୁଜ ହୋଇ ରହିଛି।
ଉତ୍ତମ ମହାନ୍ତି ନିଖୁଣ ଅଭିନୟ ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଜୟଦେବ ପୁରସ୍କାର ପରି ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ୧୯୮୨ରୁ ୧୯୮୪ ଯାଏଁ ଲଗାତାର ତିନି ବର୍ଷ ଧରି ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିଲା।
୧୯୮୭ ମସିହାରେ ଓଲିଉଡ୍ ଅଭିନେତ୍ରୀ ଅପରାଜିତାଙ୍କୁ ବିବାହ କରିଥିଲେ ଉତ୍ତମ ମହାନ୍ତି । ଉତ୍ତମ-ଅପରାଜିତାଙ୍କ ଏହି ଯୋଡି ଓଡିଆ ସିନେ ଜଗତର ଅନ୍ୟତମ ଲୋକପ୍ରିୟ ଯୋଡି ଭାବେ ବେଶ ଜଣାଶୁଣା । ଦୁହେଁ ଅନେକ ସୁପରହିଟ୍ ଫିଲ୍ମ ଓଡିଆ ଦର୍ଶକଙ୍କୁ ଭେଟି ଦେିଛନ୍ତି । କୁହାଯାଏ, ଅଶାନ୍ତ ଗ୍ରହ ଫିଲ୍ମର ଯେତେବେଳେ ସୁଟିଂ ଚାଲିଥିଲା, ସେତେବେଳେ ଉତ୍ତମଙ୍କ ସହ ଅପରାଜିତାଙ୍କ ପ୍ରଥମ ଦେଖା ହୋଇଥିଲା । ପରେ ପରେ ପ୍ରେମ ଓ ବିବାହ ।
ତେବେ ଏକଦା ଫିଲ୍ମ ଅଭିନେତା ହେବା ପାଇଁ କୌଣସି ବି ଯୋଜନା କରିନଥିବା ଉତ୍ତମ, ସମୟର ଚକ୍ରରେ ବନିଯାଇଥିଲେ ଓଲିଉଡ଼ର ସୁପରଷ୍ଟାର । ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ତାଙ୍କୁ ଯେତିକି ଲୋକପ୍ରିୟ କରିଥିଲା, ସେତିକି ଘରେ ଘରେ ମଧ୍ୟ ପରିଚିତ କରିଥିଲା । ଆଜି ତାଙ୍କ ଅବର୍ତ୍ତମାନରେ ସାରା ଓଡ଼ିଶା ଆଖିରୁ ଲୁହ ଝରୁଛି ।
ପ୍ରକୃତରେ ୭୦ ଦଶକର ଶେଷ ଆଡକୁ ଉତ୍ତମଙ୍କ ସହ ଫିଲ୍ମ ଜଗତରେ ଏକ ନୂଆ ଯୁଗର ଆରମ୍ଭ ହୋଇଥିଲା କହିଲେ ଭୁଲ ହେବନି। ପ୍ରଥମ ଫିଲ୍ମରୁ ହିଁ ସେ ପୁରା ବାରିହୋଇପଡୁଥିଲେ। ନିଜର ବଳିଷ୍ଠ ଅଭିନୟ ସହ ସେ ସମସ୍ତଙ୍କ ମନରେ ଘର କରିନେଇଥିଲେ। ଆଉ ପ୍ରମାଣ କରିଦେଇଥିଲେ ସେ ଉତ୍ତମ ନୁହଁନ୍ତି ବରଂ ସର୍ବୋତ୍ତମ।