ଲିଙ୍ଗରାଜ ମନ୍ଦିରରେ ଅଘଟଣ । ମହାଶିବରାତ୍ରୀରେ ମହାଦୀପ ଉଠିବା ସମୟରେ ହିଁ ଘଟିଛି ଅଘଟଣ । ମହାଦୀପ ଧରି ମନ୍ଦିର ଚୂଡାକୁ ଚଢୁଥିବା ସମୟରେ ହିଁ ଅଧାରୁ ଖସି ପଡିଥିଲେ ସେବାୟତ । ପ୍ରାୟ ୧୦ରୁ ୧୨ ଫୁଟ ଉପରୁ ତଳକୁ ଖସି ପଡିଥିଲେ ସେବାୟତ ଯୋଗେନ୍ଦ୍ର ସମର୍ଥା । ମହାଦୀପ ତାଙ୍କ ହାତରୁ ଖସି ପଡିବା ପରେ ଅନ୍ୟ ଜଣେ ସେବାୟତତ ମହାଦୀପକୁ ନେଇ ମନ୍ଦିର ଚୂଡାକୁ ଯାଇଥିଲେ । ନିର୍ଦ୍ଧାରିତ ସମୟଠୁ ପ୍ରାୟ ୪୦ ମିନିଟ୍ ବିଳମ୍ବରେ ଉଠିଥିଲା ମହାଦୀପ ।
ସେବାୟତ ଜଣକ ଖସି ପଡିଥିବାରୁ ଆହାତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସମୟରେ ତାଙ୍କୁ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଭେଟିଛନ୍ତି । ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି ଘଟଣା ପଛର କାରଣ ସଂପର୍କରେ ତଦନ୍ତ କରାଯିବ ।
ତେବେ ସେବାୟତଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ମହାଦୀପରେ ଘିଅର ପରିମାଣ ଅତ୍ୟଧିକ ହୋଇଥିବାରୁ ସେବାୟତଙ୍କ ହାତରୁ ମଶାଲଟି ଖସି ଯାଇଥିଲା । ବାରମ୍ବାର କହିବା ପରେ ବି ଦୀପ ପ୍ରସ୍ତୁତ କରୁଥିବା ବ୍ୟକ୍ତି ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି । ପ୍ରାୟ ୨୫ ବର୍ଷ ହେବ ଏହି କାମ ଯୋଗେନ୍ଦ୍ର ସମର୍ଥା କରିଆସୁଛନ୍ତି । ପୂର୍ବରୁ ବି ଅନେକ ଥର ଏପରି ଘିଅର ପରିମାଣ ବେଶି ହୋଇଯାଇଥାଏ କିନ୍ତୁ ଏପରି ଅଘଟଣ କେବେ ଘଟି ନଥିଲା । ପ୍ରଥମ ଥର ପାଇଁ ହାତରୁ ଦୀପଟି ପଡିବା ସହ ସେବାୟତ ବି ପଡିଯାଇଥିଲେ । କିନ୍ତୁ ସେବାୟତଙ୍କ ପରିବାର ଲୋକଙ୍କ କହିବା ମୂତାବକ ପୂର୍ବରୁ ଥରେ ଏପରି ଘିଅର ପରିମାଣ ଅତ୍ୟଧିକ ଯୋଗୁଁ ସେବାୟତଙ୍କ ହାତ ପୋଡି ଫୋଟକା ହୋଇ ଯାଇଥିଲା । ମନ୍ଦିର ପ୍ରଶାସନ ଏଥିପ୍ରତି କଡା କାର୍ଯ୍ୟାନୁଷ୍ଠାନ ନେବା ସହ ଏହା ପାଇଁ ନୂଆ ଆଇନ ହେଉ ବୋଲି ଦାବି କରିଛନ୍ତି ସେବାୟତଙ୍କ ପରିବାର ।
ଲିଙ୍ଗରାଜ ମନ୍ଦିରରେ ଏପରି ଘଟଣା ପରେ ପୂର୍ବରୁ ପୁରୀରେ ରଥଯାତ୍ରା ସମୟରେ ବଡ଼ ଠାକୁର ରଥରୁ ପଡିବା ଘଟଣା ପୁଣି ତେଜେଛି । ଚାରମାଳ ଉପରୁ ବଡ଼ ଠାକୁର ପଡିଯିବା ଓ ମହାଶିବରାତ୍ରୀରେ ସେବାୟତ ମନ୍ଦିର ଉପରୁ ଖସିପଡିବା ଘଟଣାକୁ ଘୋର ନିନ୍ଦା କରୁଛନ୍ତି ଲୋକେ । ପୁରୀ ଘଟଣାରେ ସରକାରଙ୍କର କୌଣସି କାର୍ଯ୍ୟାନୁଷ୍ଠାନ ଏପର୍ଯ୍ୟନ୍ତ ସାମ୍ନାକୁ ଆସି ନଥିବା ବେଳେ ବର୍ତ୍ତମାନ ଲିଙ୍ଗରାଜ ମନ୍ଦିରର ଏହି ଅଘଟଣକୁ ସରକାର କିଭଳି ତଦନ୍ତ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।