କିଟ୍ ବିଶ୍ୱ ବିଦ୍ୟାଳୟରେ ବିଦେଶୀ ଛାତ୍ରୀ ମୃତ୍ୟୁ ମାମଲା ନେଇ ସୃଷ୍ଟି ହୋଇଥିବା ଘଟଣାକ୍ରମ ନେଇଛି ବିବାଦୀୟ ମୋଡ଼। ଏହା ପାଲଟିଛି ଅନ୍ତର୍ଜାତୀୟ ପ୍ରସଙ୍ଗ। କିଟ୍ ପାଇଁ ଅନ୍ତର୍ଜାତୀୟ ସ୍ତରରେ ବଦନାମ ହୋଇଛି ଓଡ଼ିଶା। ପ୍ରଥମେ ଛାତ୍ରୀ ମୃତ୍ୟୁ ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରାଗଲା। ପରେ ଏହି ଘଟଣାରେ ଅସନ୍ତୋଷ ପ୍ରକାଶ କରୁଥିବା ଛାତ୍ରଛାତ୍ରୀଙ୍କୁ ମାଡ଼ ମରାଗଲା, ଧମକ ଚମକ ଦେଇ କ୍ୟାମ୍ପସରୁ ବିଦା କରିଦିଆଗଲା।
ପୂରା ମାମଲାରେ ବିବାଦ ଘେରକୁ ଆସିଛି କିଟ୍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଭୂମିକା। ମାନବାଧିକାର ଉଲ୍ଲଂଘନ ଭଳି ସାଂଘାତିକ ଅଭିଯୋଗ ହୋଇଛି। କିଟ୍ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଓ ଭାରତ ବଦନାମ ହୋଇଛି। ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଥିବା ସିକ୍ୟୁରିଟି ଗାର୍ଡଙ୍କ ବିରୋଧରେ ନିଆଯାଇନାହିଁ କୌଣସି ଆକ୍ସନ।
ଘଟଣା ଅନୁସାରେ ଗତ ରବିବାର ସଂଧ୍ୟାରେ କିଟ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବିଟେକ୍ ପଢୁଥିବା ଜଣେ ନେପାଳୀ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ବିଶ୍ୱବିଦ୍ୟାଳୟ ମୁଖ୍ୟ ଗେଟ୍ ଆଗରେ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିଲେ। ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କୁ ବୁଝାଇବା ପରିବର୍ତ୍ତେ ସିକ୍ୟୁରିଟି ଗାର୍ଡ ଲଗାଇ ସେମାନଙ୍କୁ ମାଡ଼ ମରାଯାଇଥିଲା। ନେପାଳୀ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ୍ ଛାଡ଼ି ଚାଲିଯିବାକୁ ଧମକ ଦିଆଯାଇଥିଲା। ଗାର୍ଲସ୍ ହଷ୍ଟେଲ୍ ଓ ଷ୍ଟୁଡେଣ୍ଟ ଆଫାୟାର୍ସ ଦାୟିତ୍ବରେ ଥିବା ଯୁଗ୍ମ ନିର୍ଦ୍ଦେଶିକା ଜୟନ୍ତୀ ନାଥ ହଷ୍ଟେଲରେ ନେପାଳୀ ଛାତ୍ରମାନଙ୍କୁ ଧମକ ଦେଉଥିବା ଏବଂ କ୍ୟାମ୍ପସ୍ ଛାଡ଼ି ଚାଲିଯିବାକୁ ଧମକ ଦେଉଥିବାର ଭିଡିଓ ଭାଇରାଲ୍ ହେଉଛି।
ଏହାକୁ ନେଇ ସାରା ଦେଶ ସମେତ ନେପାଳରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିବାଦ ବଢ଼ୁଥିବାରୁ ପ୍ରଥମେ ନେପାଳୀ ଶିକ୍ଷାର୍ଥୀଙ୍କୁ ବିଦା କରି ଦେଇଥିବା କିଟ କର୍ତ୍ତୃପକ୍ଷ ଏବେ ନିଜ ସ୍ୱର ବଦଳାଇଛନ୍ତି। ସନ୍ଧ୍ୟା ସମୟରେ କିଟ କର୍ତ୍ତୃପକ୍ଷ ଗୋଟିଏ ନୋଟିସ ଜାରି କରି ନେପାଳୀ ଶିକ୍ଷାର୍ଥୀ ଚାହିଁଲେ କ୍ୟାମ୍ପସ ମଧ୍ୟରେ ରହିପାରିବେ ବୋଲି କହିଛନ୍ତି।