ଯମଦୂତ ସାଜିଛି ମୋ ବସ୍ । ନିଇତି ଘଟାଉଛି ଦୁର୍ଘଟଣା । ଥରେ କି ଦୁଇ ଥି ନୁହେଁ ବାରମ୍ବାର ନେଉଛି ଲୋକଙ୍କ ଜୀବନ । ରାଜଧାନୀ ରାଜରାସ୍ତାରେ ଘଟାଉଛି ଛାତିଥରା ଦୁର୍ଘଟଣା । ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନାକୁ ନେଇ ତାତିଲେଣି ଲୋକେ । ବେପରୁଆ ଗାଡି ଚାଳନା ଦୁର୍ଘଟଣାର କାରଣ କି ? ଆଉ କେତେ ଜୀବନ ନେଲା ପରେ ଚେତିବେ ସରକାର? ।
ଭୁବନେଶ୍ୱରରେ ଚିନ୍ତା ବଡାଇଛି ମୋ ବସ୍ । ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଛି । ସହର ଭିତରେ ମୋ ବସ୍ ର ବେଗ ୪୦ ଭିତରେ ରହିବା କଥା । ସହର ବାହାର ରାଜପଥରେ ବସ୍ ର ସ୍ପିଡ୍ ୫୦ରୁ କମ୍ ରହିବ । ଏ ନେଇ ନିଦେ୍ର୍ଦଶନାମା ଜାରି କରାଗଲା । କିନ୍ତୁ ଏହାପରେ ଦୁର୍ଘଟଣା କମିବ କଣ ବଡିଗଲା । କ୍ରୁଟ୍ ଦ୍ୱାରା ପରିଚାଳିତ ମୋ ବସ୍ ର ଏପରି ବେପରୁଆ ଗାଡି ଚାଳନା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ପ୍ରଥମେ ଭୁବନେଶ୍ୱରର ରଘୁନାଥପୁରରେ ନାବାଳିକାଙ୍କୁ ଧକ୍କା ଦେଇଥିଲା ମୋ ବସ୍ । ବସ୍ ସ୍ପିଡ୍ ରେ ଥିବା ବେଳେ ଝିଅଟି ସାଇକେଲ ଚଲାଉଥିଲା , ବସ୍ ଧକ୍କା ଦେବା ଫଳରେ ଝିଅଟିର ଘଟଣାସ୍ଥାନରେ ମୃତୁ୍ୟ ହୋଇଥିଲା । ଉତ୍ତେଜନା ବୃଦ୍ଧି ପାଇବା ପରେ ଡ୍ରାଇଭର ଗିରଫ ହୋଇଥିଲେ । ପରେ ପରେ କଟକରେ ପରିବା ବେପାରୀଙ୍କୁ ଧକ୍କା ଦେଇଥିବା ବସ୍। ଅବଶ୍ୟ ପରବର୍ତ୍ତୀ ସମୟରେ କ୍ରୁଟ୍ ପକ୍ଷରୁ ଏନେଇ ସିସିଟିଭି ଫୁଟେଜ୍ ଦିଆଯାଇ କୁହାଯାଇଥିଲା ଏଥିରେ ବସ୍ର କିଛି ଭୁଲ ନାହିଁ । ସେହିପର ଫେବୃଆରୀ ୧୪ରେ ଭୁବନେଶ୍ୱରର ପାତ୍ରପଡାରେ ଘଟିଥିଲା ଦୁର୍ଘଟଣା । ଶହେ ମିଟର ଯାଏଁ ସ୍କୁଟିକୁ ଘୋଷାଡି ନେଇଥିଲା ମୋ ବସ୍ । ଯାହାପରେ ରଣକ୍ଷେତ୍ର ପାଲଟିଲା ପୂରା ଅଞ୍ଚଳ । ବସକୁ ଢେଲା ପଥର ମାଡ଼ ସହ ବସ ଭଙ୍ଗାରୁଜା କରିଥିଲେ ଉତ୍ତ୍ୟକ୍ତ ଲୋକେ । ଦୁର୍ଘଟଣାରେ ଜଣେ ଯୁବତୀଙ୍କ ମୃତୁ୍ୟ ହୋଇ ଥିବା ବେଳେ ଏକାଧିକ ଲୋକ ଆହତ ହୋଇଥିଲେ । ମୃତ ଯୁବତୀଙ୍କ ମା ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଥିଲେ ଏମସ୍ ରେ । କିନ୍ତୁ ଆଜି ଚିକିତ୍ସାଧିନ ଅବସ୍ଥାରେ ମାଙ୍କର ବି ମୃତୁ୍ୟ ହୋଇଛି ।
ଏପରି ଘଟଣା ପରେ ଏବେ ସାଧାରଣ ଲୋକେ ଅଭିଯୋଗ କରିଛନ୍ତି ମୋ ବସ୍ ଲୋକଙ୍କୁ ମାରୁଥିବାରୁ କାର୍ୟ୍ୟାନୁଷ୍ଠାନ ହେଉ । ମୋ ବସ୍ ପାଖକୁ ଯିବାକୁ ବି ଏବେ ଡରିଲେଣି ଲୋକ । ପ୍ରଶ୍ନ ଉଠୁଛି କାହିଁକି ବାରମ୍ବାର ଦୁର୍ଘଟଣା ଘଟାଇ ଯମଦୂତ ସାଜୁଛି ମୋ ବସ୍ । ସ୍ପିଡ୍ ନିୟନ୍ତ୍ରଣ ହେବା ପରେ ବି କାହିଁକି ହେଉଛି ଦୁର୍ଘଟଣା? କେତେବେଳେ ଓଭର ଟେର୍କି ତ ଆଉ କେତେବେଳେ ଇଣ୍ଡିକେଟର ନ ଦେି ମନ ଇଚ୍ଛା ସାଇଡ୍ ମାରି ମରଣ ମୁହଁକୁ ଠେଲୁଛି ମୋ ବସ୍ । ସହରରେ ମୋ ବସ୍ ଚଳାଚଳ ସମୟରେ ଏହା ନିତିଦିନିଆ ଘଟଣା ପାଲଟିଥିବା ବେଳେ ଭାଙ୍ଗୁନି କ୍ରୁଟ୍ କର୍ତ୍ତପକ୍ଷଙ୍କ ନିଦ ।