ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ । ବଜେଟ୍ ଅଧିବେଶନ ପୂର୍ବରୁ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି । ଜୟ ଜଗନ୍ନାଥରୁ ରାଜ୍ୟପାଳ ଆରମ୍ଭ କରିଥିଲେ ଅଭିଭାଷଣ । ପ୍ରଥମେ ଗୃହର ଦିବଙ୍ଗତ ସଦସ୍ୟଙ୍କୁ ମନେ ପକାଇଥିଲେ ରାଜ୍ୟପାଳ ।
ପ୍ରଥମ ଅଭିଭାଷଣରେ ରାଜ୍ୟ ସରକାରଙ୍କ ବିକାଶର କଥା ବଖାଣିଛନ୍ତି ରାଜ୍ୟପାଳ । କହିଛନ୍ତି ମାତ୍ର ୮ମାସରେ ମୋ ସରକାର ମାଇଲଖୁଣ୍ଟ ସୃଷ୍ଟି କରିଛି। ଓଡ଼ିଆ ଅସ୍ମିତା ବିକାଶ ଦିଗରେ କାମ କରୁଛି ମୋ ସରକାର। ଗରିବ, ଯୁବ, ଅନ୍ନଦାତା, ନାରୀଶକ୍ତି ମୋ ସରକାରର ମୂଳ ମନ୍ତ୍ର ବୋଲି କହିଛନ୍ତି ରାଜ୍ୟପାଳ ।
ଐତିହ୍ୟ, କୀର୍ତ୍ତିରାଜିକୁ ନେଇ ପରିଚିତ ଓଡ଼ିଶା। ୨୦୪୭ ସୁଦ୍ଧା ବିକଶିତ ଭାରତରେ ଓଡିଶାର ଭୂମିକା ରହିବ। ହୃଦୟରେ ଆଶା ଓ ଭବିଷ୍ୟତ ପାଇଁ ଦୃଷ୍ଟିଭଙ୍ଗୀ ରଖି ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ ପରିବର୍ତ୍ତନକୁ ବାଛିଛନ୍ତି। ସେମାନଙ୍କ ମତଦାନ କେବଳ ଏକ ରାଜନୈତିକ ନିଷ୍ପତି ନଥିଲା ବରଂ ଏହା ଏକ ଆସ୍ଥାର ପରିପ୍ରକାଶ ଥିଲା। ବୋଲି ରାଜ୍ୟପାଳ ନିଜ ଅଭିଭାଷଣରେ କହିଛନ୍ତି।
ଏଥର ଦୁଇଟି ପର୍ୟ୍ୟାୟରେ ହେବ ବଜେଟ୍ ଅଧିବେଶନ । ପ୍ରଥମ ଅଧିବେସନ ଆଜିଠୁ ଆରମ୍ଭ ହୋଇ ଫେବ୍ରୁଆରୀ ୨୧ ତାରିଖ ପର୍ୟ୍ୟନ୍ତ ଚାଲିବ। ୧୭ ରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍ ଏବଂ ୨୯ ରେ ବ୍ୟୟମଞ୍ଜୁରୀ ବିଲ ।
ସେହିପରି ଦ୍ୱିତୀୟ ପର୍ୟ୍ୟାୟ ଅଧିବେଶନ ମାର୍ଚ୍ଚ ୭ରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖ ପର୍ୟ୍ୟନ୍ତ ଚାଲିବ । ଦୁଇଟି ପର୍ୟ୍ୟାୟରେ ମୋଟ ୨୮ ଦିନର କାର୍ୟ୍ୟ ଦିବସ ରହିଛି । ମୋହନ ସରକାରଙ୍କ ଏହି ଦ୍ୱିତୀୟ ବଜେଟରେ ବିରୋଧୀ ବାରବାଟୀ ଲାଇଟ ବନ୍ଦ ପ୍ରସଙ୍ଗ ଉଠାଇପାରନ୍ତି । ଏଥର ବଜେଟରେ ସରକାର କ’ଣ ନୂଆ ଘୋଷଣା କରିବେ ତାହା ଉପରେ ସମସ୍ତଙ୍କର ନଜର ରହିଛି ।