ରାଜ୍ୟ କଂଗ୍ରେସକୁ ମିଳିଲା ଦୃଢ଼ ନେତୃତ୍ୱ । ସାଧାରଣ ନିର୍ବାଚନର ପ୍ରାୟ ୮ ମାସ ପରେ , ଓଡ଼ିଶା କଂଗ୍ରେସକୁ ମିଳିଛି ନୂଆ ମୁଖିଆ । ମଙ୍ଗଳବାର ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସର ନୂଆ ମୁଖିଆ ଭାବେ ଦାୟିତ୍ୱ ଦେଇଛନ୍ତି ପାର୍ଟି ହାଇକମାଣ୍ଡ । ତେବେ ଦୀର୍ଘ ଦିନ ହେଲା ମୁରବୀବିହୀନ ହେଇପଡିଥିବା ହାତ ଦଳକୁ ମିଳିଛି ଭକ୍ତ ଦାସଙ୍କ ନାଁରେ ନୂଆ ମଙ୍ଗୁଆଳ । ଯାହାଙ୍କୁ ଭରସା କରି, ରଣନୀତି ପ୍ରସ୍ତୁତ କରି ପଞ୍ଚାୟତ ନିର୍ବାଚନକୁ ସାମ୍ନା କରିବ ଓଡ଼ିଶା କଂଗ୍ରେସ । ଆଗକୁ ଦଳ ଆହୁରି ସଂଗଠିତ ହୋଇ କାମ କରିବ ବୋଲି କହିଛନ୍ତି ବିଧାୟିକା ସୋଫିଆ ଫିର୍ଦୋଶ। ନୂଆ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିଯୁକ୍ତିକୁ ସେ ସ୍ୱାଗତ କରିଛନ୍ତି। ସୋଫିଆ କହିଛନ୍ତି ଯେ, ରାଜ୍ୟରେ କେବଳ କଂଗ୍ରେସ ହିଁ ପ୍ରକୃତ ବିରୋଧୀ ଦଳର ଭୂମିକା ନିଭାଉଛି। ଦଳ ଆଗକୁ ଆହୁରି ସଂଗଠିତ ହେବ ଏବଂ ୨୦୨୯ ନିର୍ବାଚନକୁ ଆଖିରେ ରଖି କାର୍ଯ୍ୟ କରିବ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୀର୍ଘ ବର୍ଷ ଧରି ଓଡ଼ିଶାରେ ସତ୍ତାରେ ଥିବା କଂଗ୍ରେସ ଏବେ ଏକବିଂଶ ଶତାବ୍ଦୀ ପରଠାରୁ ଓଡିଶାର ସତ୍ତାରୁ ବହୁ ଦୂରରେ । ଏଭଳି ସମୟରେ ଭକ୍ତ ଦାସ କଂଗ୍ରେସ ନେତୃବୃନ୍ଦଙ୍କୁ ନେଇ କେମିତି ଆଗକୁ ବଢିବେ ତାହା ସବୁଠୁ ଆଲୋଚନାର ବିଷୟ । ୧୯୨୦ ମସିହାରୁ ଆଜି ଭିତରେ ଓଡ଼ିଶା କଂଗ୍ରେସ ମୋଟ ୧୪ ଜଣ ସଭାପତିଙ୍କୁ ଦେଖିଛି । ଉତ୍କଳମଣି ଗୋପବନ୍ଧୁ ଦାସଙ୍କଠାରୁ କେବେ ଆରମ୍ଭ ହୋଇଥିବା ଏହି ଲିଷ୍ଟ, ଏବେ ଭକ୍ତ ଚରଣ ଦାସଙ୍କ ପାଖରେ ପହଞ୍ଚିଛି । ଜାଣିରଖିବା ଉଚିତ୍ ଯେ, ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଥମ ସଭାପତି ଥିଲେ ଗୋପବନ୍ଧୁ ଦାସ । ଆଉ ଏବେ ୧୪ ତମ ପ୍ରଦେଶ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ନେବାକୁ ଯାଉଛନ୍ତି ଭକ୍ତ ଚରଣ ଦାସ । ସୂଚନାଯୋଗ୍ୟ, ଦୀର୍ଘ ଦିନ ଯାଏ ମୁରବୀ ଶୂନ୍ୟ ଥିବା ଓଡ଼ିଶା ପ୍ରଦେଶ କଂଗ୍ରେସକୁ ମିଳିଛି ଏହାର ନୂଆ ମୁଖିଆ । ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ପିସିସି ସଭାପତି ନିଯୁକ୍ତ କରାଯାଇଛି । ଏଆଇସିସି ପକ୍ଷରୁ ମଙ୍ଗଳବାର ଏହି ଘୋଷଣା କରାଯାଇଛି । କଂଗ୍ରେସର ଏକ୍ସ ଆକାଉଣ୍ଟରେ ଏନେଇ ପୋଷ୍ଟ କରାଯାଇଛି । ଏଥିରେ ଲେଖାଯାଇଛି, ‘କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭାବେ ଭକ୍ତ ଚରଣ ଦାସଙ୍କୁ ନିଯୁକ୍ତି ଦେଇଛନ୍ତି ।’ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଏଆଇସିସି ସାଧାରଣ ସମ୍ପାଦକ ଓ ବିହାର, ମଣିପୁର ଓ ମିଜୋରାମର କଂଗ୍ରେସ ପ୍ରଭାରୀ ଭାବେ କାର୍ଯ୍ୟ କରିସାରିଛନ୍ତି । ଭକ୍ତ ଦାସ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଦସ୍ୟ ମଧ୍ୟ ଅଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ନର୍ଲା ବିଧାନସଭା ଆସନରେ ନିର୍ବାଚନ ଲଢି ପରାଜିତ ହୋଇଥିଲେ ।