ବାରବାଟୀରେ ଅର୍ନ୍ତଜାତୀୟ ମ୍ୟାଚ୍ ପାଇଁ ଆମେ ଯୋଗ୍ୟ ତ..? ମ୍ୟାଚ୍ ପାଇଁ ସଠିକ୍ ଭାବରେ ପ୍ରସ୍ତୁତି ହୋଇ ଥିଲା ତ..? ଯଦି ସବୁ ପ୍ରସ୍ତୁତି ଠିକ୍ ଠାକ୍ ହୋଇଥିଲା ତେବେ କାହିଁକି କଟିଗଲା ଲାଇଟ୍ । ଏଥିପାଇଁ ଦାୟୀ କିଏ? ପୁରା ବିଶ୍ୱ ଦେଖୁଥିଲା ମ୍ୟାଚ୍ । ଆଉ ହଠାତ୍ କଟିଗଲା ଲାଇଟ୍ । ଲାଇଟ୍ ଫେରିବାକୁ ଲାଗିଥିଲା ୩୦ ମିନିଟ୍ । ୩୦ ମନିଟ୍ ଯାଏଁ ବନ୍ଦ ରହିଥିଲା ଭାରତ-ଇଂଲଣ୍ଡ ମ୍ୟାଚ୍ । ଐତିହାସିକ ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚ୍ ବେଳେ ଘଟିଲା କିଛି ଏଭଳି ଘଟଣା ।
ବାରବାଟୀରେ ଓଡିଆଇ ମ୍ୟାଚ୍ ବେଳେ ଫ୍ଲଡଲାଇଟ୍ ବନ୍ଦ ହେବା ପ୍ରସଙ୍ଗ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ଲାଇଟ୍ ବନ୍ଦ ହେବା କୌଣସି ନୂଆ କଥା ନୁହେଁ କିନ୍ତୁ ୩୦ ମିନିଟ୍ ଯାଏଁ ଲାଇଟ୍ ବନ୍ଦ ହେବା ଓ ପାୱାର ବ୍ୟାକ୍ଅପ୍ ସଙ୍ଗେ ସଙ୍ଗେ ନ ଆସିବା ଏବେ ଓସିଏ ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭାରତୀୟ ଦଳର ଇନିଂସ ସମୟରେ ଫ୍ଲଡ ଲାଇଟ୍ ବନ୍ଦ ହୋଇ ଯାଇଥିଲା । ଫଳରେ ଖେଳ ଅଧାରୁ ବନ୍ଦ ରହିଥିଲା । ସେତେବେଳେ ଟିମ୍ ଇଣ୍ଡିଆର ଦୁଇ ବ୍ୟାଟସମ୍ୟାନ, ଅଧିନାୟକ ରୋହିତ ଶର୍ମା ଓ ଶୁଭମଙ୍ଗିଲ ବ୍ୟାଟିଂ କରୁଥିଲେ । ୩୦୫ ରନର ଲକ୍ଷରେ ସେତେବେଳେ ସପ୍ତମ ଓଭର ଚାଲିଥିଲା । ଟିମ୍ ଇଣ୍ଡିଆ ସପ୍ତମ ଓଭରର ପ୍ରଥମ ବଲରେ ୪୮ ରନ୍ କରିଥିଲା ଆଉ ସେତିକିବେଳେ ଫ୍ଲଡ ଲାଇଟରେ ଦେଖା ଦେଇଥିଲା ତ୍ରୁଟି । ଫ୍ଲଡ୍ ଲାଇଟ୍ ବନ୍ଦ ହେବା ପରେ ଖେଳାଳିମାନେ ପ୍ୟାଭିଲିୟନକୁ ଫେରିଯାଇଥିଲେ । ଏହାକୁ ନେଇ ଖେଳାଳିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲାଓ ରୋହିତ ଶର୍ମାଙ୍କ ଭାବଭଙ୍ଗୀରୁ ଏହା ସ୍ପଷ୍ଟ ହୋଇ ଯାଇଥିଲା । ପ୍ରାୟ ଅଧ ଘଣ୍ଟା ପରେ ଫ୍ଲଡ ଲାଇଟ୍ ପୁଣି ଚାଲୁ ହୋଇଥିଲା । ଖେଳ ପୁଣି ଆରମ୍ଭ ହୋଇଥିଲା । ତେବେ ଏତେ ପ୍ରସ୍ତୁତି ସତ୍ୱେ କିପରି ଏମିତି ଅଭାବନୀୟ ଘଟଣା ଘଟିଲା..? ଏ ନେଇ ଓସିଏ ସମ୍ପାଦକ ସଞ୍ଜୟ ପେହେରା କହିଛନ୍ତି ଜେନେରେଟର ଟି ଯେଉଁ ସ୍ଥାନରେ ରହିଥିଲା ତା ସାମ୍ନାରେ ରଖା ଯାଇଥିଲା ଖେଳାଳି ମାନଙ୍କ ବସ ଏବଂ ବସ ଡ୍ରାଇଭର ଚାଲି ଯାଇଥିଲେ ଖେଳ ଦେଖିବାକୁ । ଆଉ ଲାଇଟ୍ କଟିବା ପରେ ବସ୍ ସ୍ଥାନସ୍ତରିତ କରି ଜେନେରେଟର କନେକ୍ଟ କରିବାକୁ ଲାଗିଯାଇଥିଲା ଅଧଘଣ୍ଟା ।
ତେବେ ଏ ନେଇ ଓସିଏକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି କ୍ରିଡା ବିଭାଗ । ୧୦ ଦିନ ଭିତରେ ଏହାର ଉତ୍ତର ରଖିବାକୁ ଓସିଏକୁ ସମୟ ଦେଇଛି କ୍ରିଡା ବିଭାଗ ।
ବାରବାଟୀରେ ଏପରି ଅବ୍ୟବସ୍ତା ସତରେ ନିନ୍ଦନୀୟ । କହିବାକୁ ଗଲେ ଏପରି ଘଟଣା ଆମ ବାରବାଟୀ ପାଇଁ ଯମା ବି ନୂଆ ନୁହେଁ । ପୂର୍ବରୁ ମଧ୍ୟ ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳିଛି ବାରବାଟୀରେ । ୨୦୦୮ରେ ସମାନ ଭାବରେ ଫ୍ଲଡ ଲାଇଟ୍ ବନ୍ଦ ହୋଇଯାଇଥିଲା । ଶେଷଥର ପାଇଁ ୨୦୨୨ରେ ବାରବାଟୀରେ ଦର୍ଶକମାନେ ପଡିଆ ଭିତରକୁ ବୋତଲ ଫିଙ୍ଗିଥିଲେ । ଯାହାପାଇଁ ବାରବାଟୀରେ ୩ ବର୍ଷ ଯାଏଁ ଅର୍ନ୍ତଯାତୀୟ ଖେଳ ହୋଇନଥିଲା । ପୁଣି ଏବେ ସେହିପରି ଘଟଣା ଘଟିଥିବାରୁ ବାରବାଟୀର ଭବିଷ୍ୟକୁ ନେଇ ପ୍ରଶ୍ନ ଛିଡା ହୋଇଛି ।