ଆଜି ଜଣା ପଡିବ କାହା ଦଖଲକୁ ଯିବ ଦିଲ୍ଲୀ । କଡ଼ା ସୁରକ୍ଷା ମଧ୍ୟରେ କରାଯାଉଛି ଭୋଟ ଗଣତି । ସକାଳ ୧୦ଟା ସୁଦ୍ଧା ବିଜେପି 42ଟି ସିଟରେ ଆଗୁଆ ରହିଥିବା ବେଳେ ଆପ 27, କଂଗ୍ରେସ ଗୋଟିଏ ସିଟରେ ଆଗୁଆ ରହିଛି. ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତା ଫେରି ପାଇବାକୁ ଆଶା ବାନ୍ଧିଛି ବିଜେପି । ୨୦୧୫ ଓ ୨୦୨୦ ନିର୍ବାଚନରେ କ୍ଷମତା ଦଖଲ କରିଥିବା ଆପ ତୃତୀୟ ଥର ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛି । ଦିଲ୍ଲୀରେ ୨୦୧୩ରୁ କ୍ଷମତାରୁ ଯିବା ପରେ କଂଗ୍ରେସ ତଳକୁ ତଳ ଖସି ଶୂନରେ ପହଞ୍ଚି ସାରିଛି । ଏବେ କଣ ହେବ, ତା ଉପରେ ସମସ୍ତଙ୍କ ନଜର । ଉତ୍ତର ଭାରତରେ ବିଜେପି ଭଲ ପ୍ରଦର୍ଶନ କରୁଛି। କିନ୍ତୁ ଦିଲ୍ଲୀ ଆସନ ଦଖଲ କରି ପାରୁନି ବିଜେପି । ୨୭ ବର୍ଷ ପରେ କ୍ଷମତା ଫେରି ପାଇବାକୁ ବିଜେପି ସବୁ ବଳ ଖଟାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବହୁ ହେଭିୱେଟ୍ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀରେ ପ୍ରଚାର କରିଥିଲେ । ଏହାସହ ବିଜେପି ଶାସିତ ରାଜ୍ୟ ଆସାମ, ୟୁପି, ଉତ୍ତରାଖଣ୍ଡ, ତ୍ରିପୁରା, ମଧ୍ୟପ୍ରଦେଶ ଓ ହରିୟାଣାର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଆସି ବିଜେପି ପାଇଁ ପ୍ରଚାର କରିଥିଲେି। କେବଳ ସେତିକି ନୁହଁ ଦିଲ୍ଲୀରେ ବିଜେପି ପାଇଁ ପ୍ରଚାର କରିଥିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ସେପଟେ କେଜରିୱାଲଙ୍କ ସମ୍ମାନ ବାଜିରେ ଲାଗିଛି। ଦୁର୍ନୀତି ଅଭିଯୋଗରେ ଜେଲ ଯାଇ ଫେରିବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। କହିଥିଲେ ଲୋକେ ଚାହିଁଲେ ସେ ପୁଣି ମୁଖ୍ୟମନ୍ତ୍ରୀ ହେବେ । ଲୋକେ କଣ ପୁଣି କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି କି? ସେ ଉତ୍ତର ଆଉ କିଛି ଘଣ୍ଟା ପରେ ମିଳିଯିବ। ୨୦୧୫ରେ ୬୭ ଓ ୨୦୨୦ରେ ୬୨ ସିଟ ଜିତିଥିଲେ ଅରବିନ୍ଦ କେଜ୍ରିୱାଲ । ଏକ ଅଙ୍କରେ ରହିଥିଲା ବିଜେପି ।