ପୁଣି ଆଶାରାମ ବାପୁଙ୍କୁ ନେଇ ଦେଖା ଦେଇଛି ବିବାଦ। ଦୁଷ୍କର୍ମ ମାମଲାରେ ଏବେ ଜେଲ ରେ ଆଶାରାମ ବାପୁ । ଜେଲ୍ ଯିବା ପୂର୍ବରୁ ନିଇତି ପ୍ରବଚନ ଦେବା ସହିତ ଆଶ୍ରମ ବି ଚଲାଉଥିଲେ । ଯାହାଦ୍ବାରା କୋଟି କୋଟି ଟଙ୍କା ରୋଜଗାର ବି ହେଉଥିଲା । ଏହି ସମୟରେ ଆଶାରାମଙ୍କର ପୁରା ଦେଶରେ ପୋଷ୍ଟର ଲଗାଯାଇଥିଲା । ଖାଲି ରାସ୍ତାରେ ନୁହେଁ ବରଂ ରେଲୱେ ଷ୍ଟେସନ, ବିମାନ ବନ୍ଦର ଓ ବସ୍ଷ୍ଟାଣ୍ଡରେ ବି ପୋଷ୍ଟର ଦେଖିବାକୁ ମିଳେ । କିନ୍ତୁ ଆଶାରାମ ବାପୁ ଜେଲ ଯିବା ପରେ ଏବେ ତାଙ୍କ ପୋଷ୍ଟର ଚର୍ଚାର ବିଷୟ ପାଲଟିଛି । ନିକଟରେ ଫ୍ରେବୃଆରୀ 14ରେ ପିତାମାତା ପୂଜନ ଦିବସ ପାଳନ କରିବାକୁ ଦିଲ୍ଲୀ ମେଟ୍ରୋ ରେ ପୋଷ୍ଟର ଲଗାଯାଇଛି ଯେଉଁଥିରେ ଆଶାରାମ ବାପୁଙ୍କ ଫୋଟୋ ଥିବା ଦେଖିବାକୁ ମିଳିଛି । ରାଜଧାନୀ ଦିଲ୍ଲୀ ମେଟ୍ରୋରେ ନିଇତି ଲକ୍ଷାଧିକ ଲୋକ ଯାତ୍ରା କରନ୍ତି । ତେଣୁ ଏଠାରେ ଯିଏ ବିଜ୍ଞାପନ ଦିଅନ୍ତି ତାହା ଅନେକ ଦେଖନ୍ତି । ହେଲେ ଆଶାରାମଙ୍କ କେଳଙ୍କାରୀର ଗୋଟିଏ ପରେ ଗୋଟିଏ ପୃଷ୍ଠା ଖୋଲିବା ପରେ ସର୍ବସାଧାରଣ ସ୍ଥାନରେ ତାଙ୍କ ଫଟୋ ରହିବା ଉଚିତ୍ ନୁହେଁ ବୋଲି ଅନେକ ଅଭିଯୋଗ କରିଛନ୍ତି ।
ତେଣୁ ଦିଲ୍ଲୀ ମେଟ୍ରୋ କର୍ତ୍ତୃପକ୍ଷ ଜନତାଙ୍କ ଭାବାବେଗକୁ ନଜରରେ ରଖି ବିଜ୍ଞାପନ ହଟାଇ ଦେଇଛି । ସେପଟେ ବିବାଦ ବଢିବା ପରେ ମେଟ୍ରୋ କର୍ତ୍ତୃପକ୍ଷ ଜବାବ ରଖିଛନ୍ତି । କହିଛନ୍ତି, ପୋଷ୍ଟର ନଜରକୁ ଆସିବା ପରେ ତୁରନ୍ତ ହଟାଇ ଦେବା ଲାଗି ଆମେ ନିର୍ଦ୍ଦେଶ ଦେଇଛୁ । ଯେଉଁମାନେ ମେଟ୍ରୋ ଷ୍ଟେସନ କିମ୍ବା ଟ୍ରେନ୍ରେ ବିଜ୍ଞାପନ ଦିଅନ୍ତୁ ସେମାନଙ୍କ ଲାଗି ବି ଏକ ନିୟମ ରହିଛି । ସେହି ଅନୁସାରେ, ବିଜ୍ଞାପନ ଦିଆଯାଏ । ହେଲେ ବିଜ୍ଞାପନ ମେଟ୍ରୋରେ କେମିତି ଲାଗିଲା ସେନେଇ ତଦନ୍ତ ଚାଲିଛି ।
ତେବେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଦିଲ୍ଲୀ ମେଟ୍ରୋରେ ତାଙ୍କର ବିଜ୍ଞାପନକୁ ବିରୋଧ କରିଥିଲେ ଏବଂ ମେଟ୍ରୋ ଷ୍ଟେସନରେ ତାଙ୍କର ବଡ଼ ହୋର୍ଡିଂ ଏବଂ ମେଟ୍ରୋ ଭିତରେ ଛୋଟ ବିଜ୍ଞାପନର ଫଟୋ ସେୟାର କରିଥିଲେ। ସେମାନେ ଏହା ମଧ୍ୟ ପ୍ରଶ୍ନ କରିଥିଲେ ଯେ ଜଣେ ଦୋଷୀ ବଳାତ୍କାରୀଙ୍କୁ ଏତେ ପରିମାଣରେ ବିଜ୍ଞାପନ ପ୍ରଦର୍ଶନ କରିବାକୁ କାହିଁକି ଅନୁମତି ଦିଆଗଲା।