ବାରବାଟୀ ଷ୍ଟାଡିୟମ । ଓଡିଶାର ଏକ ଐତିହାସିକ କ୍ରିକେଟ ଗ୍ରାଉଣ୍ଡ । ଅନେକ ଐତିହାସିକ କ୍ରିକେଟ ମ୍ୟାଚର ମୂକସାକ୍ଷୀ ହେଉଛି ଏହି କ୍ରିକେଟ ଷ୍ଟାଡିୟମ ।୧୯୫୮ରେ ନିର୍ମିତ ଏହି ଷ୍ଟାଡିୟମରେ ଜାତୀୟ, ଆନ୍ତର୍ଜାତୀୟ, ଆଇପିଏଲ ମ୍ୟାଚ୍ ଅନୁଷ୍ଠିତ ହୋଇଛି । ପ୍ରାୟ ୪୫ ହଜାର ଲୋକ ବସିବା କ୍ଷମତା ସହିତ ଏହା ଭାରତର ପ୍ରସିଦ୍ଧ ଷ୍ଟାଡିୟମ ଭିତରୁ ଅନ୍ୟତମ । ଏହି ଷ୍ଟାଡିୟମ ଅନେକ କ୍ରିକେଟ ପ୍ରେମୀଙ୍କ ସ୍ମରଣୀୟ ମ୍ରହୁର୍ତ୍ତର ମୂକ ସାକ୍ଷୀ । ଅନେକ ଥର ଭାରତୀୟ କ୍ରିକେଟ ଦଳ ଏଠାରେ ବିଜୟ ହାସଲ କରି ଓଡିଶାର ଦର୍ଶକଙ୍କୁ ଗର୍ବ ଅନୁଭବ କରାଇଛନ୍ତି । ତେବେ ଆପଣ କଣ ଜାଣନ୍ତି କି ଏହି ଷ୍ଟାଡିୟମରେ ପ୍ରଥମେ ଭାରତୀୟ କ୍ରିକେଟ୍ ଟିମ୍ କେବେ ଓ କେଉଁ ଦେଶ ବିପକ୍ଷରେ ଅର୍ନ୍ତଜାତୀୟ ମ୍ୟାଚ୍ ଖେଳିଥିଲା? ଆଜି ଆସନ୍ତୁ ଆମେ ଜାଣିବା ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ସଂପର୍କରେ ।
ବର୍ଷ ଥିଲା ୧୯୮୨ ଆଉ ତାରିଖ ଥିଲା ଜାନୁଆରୀ ୨୭ ଏହି ଦିନ ବାରବାଟୀରେ ପ୍ରଥମ ଇଣ୍ଟରନ୍ୟାସନାଲ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ଆଉ ଭାରତ ବିପକ୍ଷରେ ଥିଲା ଦୁର୍ଦଶ ଇଂଲଣ୍ଡ କ୍ରିକେଟ ଟିମ୍ । ପ୍ରଥମ ମ୍ୟାଚ୍ରୁ ହିଁ ବାରବାଟୀ ବାଣ୍ଟି ଥିଲା ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ମଧୁର ସ୍ମୃତି । ୫ ୱିକେଟରେ ଐତିହାସିକ ବିଜୟ ଲାଭ କରିଥିଲା ଭାରତ । ତକ୍ରାଳୀନ ଭାରତୀୟ କ୍ରିକେଟ ଟିମ୍ର କ୍ୟାପଟେନ ଥିଲେ ଲିଟିଲ ମାଷ୍ଟର ସୁନିଲ ଗାଭାସ୍କର ।ସେହିପରି ଇଂଲଣ୍ଡ ଟିମର କ୍ୟାପଟେନ୍ ଥିଲେ କେଥ୍ ଫ୍ଲେଚର ।ଏହି ମ୍ୟାଚ୍ ନିର୍ଦ୍ଧାରିତ ୫୦ ଓଭର ଖେଳା ନ ଯାଇ ୪୬ ଓଭର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା ଭାରତ । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୬ଉଇକଟେ୍ ହରାଇ୨୩୦ ରନର କରିଥିଲା । ଅଧିନାୟକ କେଥ୍ ଫ୍ଲେଚର ସର୍ବାଧିକ ୬୯ ରନ୍ କରିଥିଲେ । ପରେ ୨୩୧ ବିଜୟ ଲକ୍ଷ୍ୟ ହାସଲ ପାଇଁ ବ୍ୟାଟିଂ ଆରମ୍ଭ କରିଥିଲା ଭାରତ ।ସୁନୀଲ ଗାଭାସ୍କରଙ୍କ ସହ ମଦନ ଲାଲ ଭାରତ ପକ୍ଷରୁ ବ୍ୟାଟିଂ ଆରମ୍ଭ କରିଥିଲେ ।ମଦନ ଲାଲ ମାତ୍ର ୯ରନ୍ କରି ଆଉଟ ହୋଇଥିଲେ ।କିନ୍ତୁ ସୁନିଲ ଗାଭାସ୍କର ୮୭ ବଲ୍ରୁ ୭୧ ରନ୍ କରି ଭାରତକୁ ଦୃଢ ସ୍ଥିତିକୁ ଆଣିଥିଲେ ।ତାଙ୍କ ଇନିଂସରେ ୧୦ଟି ଚୌକା ସାମିଲଥିଲା ।ଠିକ୍ ସେହିପରି ଏହି ମ୍ୟାଚ୍ରେ ଅନ୍ୟତମ ସଫଳ ବ୍ୟାଟ୍ସମ୍ୟାନ୍ ଥିଲେ ସନ୍ଦିପ ପାଟିଲ୍ ।ସେ ୫୫ଟି ବଲ୍ ଖେଳି ୬୪ ରନ୍ ସ୍କୋର କରିଥିଲେ ତାଙ୍କ ଇନିଂସରେ ୭ଟି ଚୌକା ସାମିଲ ଥିଲା । ୪୬ ଓଭର ବିଶିଷ୍ଟ ଏହି ମ୍ୟାଚ୍ରେ ଭାରତ ୪୨ତମ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା ।ସବୁଠାରୁ ଅଧିକ ରନ୍ କରି ମ୍ୟାନ ଅଫ୍ ଦି ମ୍ୟାଚ୍ ହୋଇଥିଲେ ସୁନିଲ ଗାଭାସ୍କର । ସେହି ମ୍ୟାଚରେ ପ୍ରଥମ ୱାନ ଡେ ଇଣ୍ଟର ନ୍ୟାସନାଲ ଡେବୁ୍ୟ କରିଥିଲେ ଅଶୋକ ମଲହୋତ୍ରା ଓ ଅରୁନ ଲାଲ । ବାରବାଟୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ କସ୍ତୁରୀ ରାମା ସ୍ୱାମୀ ଓ ରାମ ପଞ୍ଜାବୀ ଥିଲେ ଅମ୍ପେୟାର ।
୧୯୮୨ରେ କଟକ ବାରବାଟୀରେ ଭାରତର ବିଜୟ ଥିଲା ଓଡିଶା ପାଇଁ ଏକ ଐତିହାସିକ ମୂହୂର୍ତ୍ତ । ସେହି ଅବିସ୍ମରଣୀୟ ମୂହୂର୍ତ୍ତର ମୂକ ସାକ୍ଷୀ ହୋଇ ରହିଛି ବାରବାଟୀ । ଆଉ ମାତ୍ର ୩ଦିନ ପରେ ପୁଣି ଏହି ଐତିହାସିକ ବାରବାଟୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ଇଲଂଣ୍ଡ ।ପୁଣି ଏହି ଐତିହାସିକ ବାରବାଟୀ ଷ୍ଟାଡିୟମ ରେ ରୋମାଂଚକ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଟିମ୍ ଇଣ୍ଡିଆର ଫ୍ୟାନ୍ ମାନେ ଅପେକ୍ଷା କରି ରହିଛନ୍ତି ।