ଭୋଟ୍ ଦେଉଛି ରାଜଧାନୀ । ୭୦ ଆସନ ବିଶିଷ୍ଟ ବିଧାନସଭାରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ । ୭୦ ଆସନରେ ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଦିଲ୍ଲୀବାସୀ । ଫେବ୍ରୁଆରୀ ୮ ତାରିଖରେ ମତଗଣତି ହେବ। ଶୃଙ୍ଖଳିତ ନିର୍ବାଚନ ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ଦିଲ୍ଲୀରେ ପ୍ରାୟ ୧.୫୬ କୋଟି ପଞ୍ଜୀକୃତ ମତଦାତା କରିବେ ମତାଧିକାର ସାବ୍ୟସ୍ତ । ମୋଟ୍ ଭୋଟରଙ୍କ ମଧ୍ୟରୁ ୮୩.୭୬ ଲକ୍ଷ ହେଉଛନ୍ତି ପୁରୁଷ ରହିଥିବା ବେଳେ ୭୨.୩୬ ଲକ୍ଷ ହେଉଛନ୍ତି ମହିଳା।
୧ ହଜାର ୨୫୭ ଜଣ ତୃତୀୟ ଲିଙ୍ଗୀ ବି ସାମିଲ। ଦିବ୍ୟାଙ୍ଗମାନଙ୍କ ଲାଗି ୭୩୩ଟି ମତଦାନ କେନ୍ଦ୍ର ନିର୍ଦ୍ଧାରିତ କରାଯାଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଭୋଟିଂ । ନିର୍ବାଚନ ପାଇଁ ୧୩ ହଜାର ୭୬୬ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ଭୋଟଦାନ ପାଇଁ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଗୋଟିଏ ଇଭିଏମ ବ୍ୟବହାର କରାଯିବ। ଏଥର ଦିଲ୍ଲୀରେ ଆମ୍ ଆଦ୍ମୀ ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିବ।