ଭୁବନେଶ୍ୱରରେ ପୁଣି `ମୋ ବସ୍’ ଦୁର୍ଘଟଣା । ନାବାଳିକାଙ୍କୁ ଧକ୍କା ଦେଲା ମୋ ବସ୍ । ଏଥିରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ସମୟରେ ମୋ ବସଟି ସ୍ପିଡରେ ଥିବା ଲୋକେ କହିଛନ୍ତି । ବାର ବର୍ଷର ଝିଅ ସାଇକେଲ ଚଳାଉଥିବାବେଳେ ମୋ ବସ ଧକ୍କା ଦେଇଛି । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି । ପଟିଆ-ନନ୍ଦନକାନନ ରାସ୍ତା ଅବରୋଧ ହୋଇଛି । ଏହା ସହ ୩ଟି ମୋ ବସକୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକ । ସହର ଭିତରେ ‘ମୋ ବସ୍’ର ବେଗ ୪୦ ଭିତରେ ରହିବ । ସହର ବାହାର ରାଜପଥରେ ‘ମୋ ବସ୍’ ସ୍ପିଡ୍ ୫୦ରୁ କମ୍ ରହିବ । ଏନେଇ ନିର୍ଦ୍ଦେଶନାମା ରହିଛି । କିନ୍ତୁ CRUT ଦ୍ଵାରା ପରିଚାଳିତ ‘ମୋ ବସ୍’ ବୋଲ ମାନୁନି । ମାସକରେ ଦୁଇ ଦୁଇଟି ଦୁର୍ଘଟଣା ଘଟାଇଲାଣି ‘ମୋ ବସ୍’ । ଆଜି ନନ୍ଦନକାନନ ରାସ୍ତାରେ ‘ମୋ ବସ୍’ ଜଣେ ନାବାଳିକାଙ୍କ ଜୀବନ ନେବା ପରେ ‘ମୋ ବସ୍’ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଉପରେ ପୁଣି ଥରେ ପ୍ରଶ୍ନ ଉଠିଛି । ତେବେ ରଘୁନାଥପୁରରେ ‘ମୋ ବସ୍’ ଏହି ଗୋଟିଏ ଦୁର୍ଘଟଣା ଘଟାଇ ନାହିଁ । ରାଜଧାନୀର ବିଭିନ୍ନ ସ୍ଥାନରେ ‘ମୋ ବସ୍’ ଏଭଳି ବୋଲ ନ ମାନି ଲୋକଙ୍କ ଜୀବନ ନେଉଛି । କେତେବେଳେ ଓଭର ଟେକିଂ ତ ଆଉ କେବେ ଇଣ୍ଡିକେଟର ନ ଦେଇ ମନ ଇଚ୍ଛା ସାଇଡ୍ ମାରି ମରଣ ମୁହଁକୁ ଠେଲୁଛି । ସହରରେ ‘ମୋ ବସ୍’ ଚଳାଚଳ ବେଳେ ଏହା ନିତିଦିନିଆ ଘଟଣା ପାଲଟି ଥିବା ବେଳେ ଭାଙ୍ଗୁନି CRUT କର୍ତ୍ତୃପକ୍ଷଙ୍କ ନିଦ ।