ଏସିଆ ମହାଦେଶର ସର୍ବବୃହତ ସୁକିନ୍ଦା ଟସର ଫାର୍ମର ୫୦ବର୍ଷ ପୂର୍ତ୍ତି ଅବସରରେ ସୁକିନ୍ଦା ସ୍ଥିତ ଟସର ଫାର୍ମର ପଡିଆରେ ଏକ ବିଶାଳ ଚାଷୀ ସମାବେଶ ଓ କର୍ମଶାଳା ସୋମବାର ଅପରାହ୍ନ 3 ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ହସ୍ତଶିଳ୍ପ,ବୟନଶିଳ୍ପ ଓ ହସ୍ତତନ୍ତ୍ର ବିଭାଗ ମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହି ବିଶେଷ କାର୍ଯ୍ୟକ୍ରମକି ଉଦଘାଟନ କରିଥିଲେ । ଏବେ ଏହି ଫାର୍ମରେ ୬୦୦ଏକର ପରିମିତ ଜମିରେ ଅସନ ଓ ଅର୍ଜୁନ ବୃକ୍ଷ ସୁରକ୍ଷିତ ରହିବା ସହ ପାଖାପାଖି ୪୦୦ରୁ ଉର୍ଦ୍ଧ୍ବ ଟସର ଚାଷୀ ତିନିମାସ ଚାଷ କରି ଲକ୍ଷାଧିକ ଟଙ୍କାର ଖୋଷା ଅମଳ କରିଥାନ୍ତି । ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ବିଭାଗୀୟ ଶାସନ ସଚିବ ଗୁହା ପୁନମ ତାପସ କୁମାର, ବୟନଶିଳ୍ପ ନିର୍ଦ୍ଦେଶକ ବିକ୍ରମାଦିତ୍ୟ ବାରିକ, ରେଶମଶିଳ୍ପ ଅତିରିକ୍ତ ନିର୍ଦ୍ଦେଶକ ସୂର୍ଯ୍ୟନାରାୟଣ ପଟ୍ଟନାୟକ, ଯାଜପୁର ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, କଟକ ବନଖଣ୍ଡ ଅଧିକାରୀ ପି. ଅର୍ଥନେରୀ, କେନ୍ଦ୍ରୀୟ ଟସର ପ୍ରଶିକ୍ଷଣ ନିର୍ଦ୍ଦେଶକ ଏନ.ବି.ଚୌଧୁରୀଙ୍କ ସମେତ ଜିଲ୍ଲାର ଅନେକ ଉଚ୍ଚପଦସ୍ଥ ଅଧିକାରୀ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଟସର ଫାର୍ମ ପରିସରରେ ଟାଟା ଷ୍ଟିଲ ପକ୍ଷରୁ ନବ ନିର୍ମିତ ଟସର ବିଜଗାର ଗୃହ, ଦୁଇ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଟସର ଗୋଦାମ ଗୃହ ଓ ମହିଳା ଚାଷୀ ବିଶ୍ରାମ ଗୃହ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଦ୍ଵାରା ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ଉପସ୍ଥିତ ଅତିଥି ମାନେ ଫାର୍ମ ପରିସରରେ ଅସନ ଓ ଅର୍ଜୁନ ଚାରା ରୋପଣ କରିଥିଲେ । ଏହି ଫାର୍ମରେ ଦୀର୍ଘବର୍ଷ ଧରି ଅକ୍ଲାନ୍ତ ପରିଶ୍ରମ କରି ଟସର ଚାଷୀ ମାନଙ୍କୁ ଉତ୍ସାହିତ କରି ସେମାନଙ୍କୁ ଲାଭବାନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସୁକିନ୍ଦା ଅଞ୍ଚଳର ଗୋବର୍ଦ୍ଧନ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।