ଶୀତ ସାଙ୍ଗକୁ କଲବଲ କରୁଛି କୁହୁଡି। ଭୁବନେଶ୍ବର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଘନକୁହୁଡ଼ି ସାଙ୍ଗକୁ ଥଣ୍ଡା ଅନୁଭୂତ ହେଉଛି। କୁହୁଡି ଯୋଗୁ ୨୦ ମିଟର ଦୂର ଯାଏଁ କିଛି ବି ଦେଖାଯାଉନି । ଯାତାୟତରେ ବାଧାପ୍ରାପ୍ତ ହେଉଛି। ଦୁଇ ଦିନ ପରେ ବଢ଼ିବ ତାପମାତ୍ରା, କମିବ ଶୀତ । ୨ ଦିନ ଯାଏ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ୨ ଦିନ ପରେ ୨ ରୁ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ତେଣୁ ଶୀତର ପ୍ରକୋପ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ରାଜ୍ୟରେ ଏବେ ଶୀତ ଲହରୀ ଜାରି ରହିଥିବା ବେଳେ ଥରୁଛି ଆଭ୍ୟନ୍ତରୀଣରୁ ଉପକୂଳ ଓଡ଼ିଶା । ଏଭଳି ଶୀତ ଆହୁରି ୨ ଦିନ ଯାଏ ଲାଗି ରହିବ । ବିଭିନ୍ନ ସ୍ଥାନରେ କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ୧୩ ତାରିଖ ଯାଏ ଘନ କୁହୁଡ଼ି ନେଇ ସତର୍କତା ରହିଥିବା ବେଳେ ସୁନ୍ଦରଗଡ, ଢେଙ୍କାନାଳ ,ଅନୁଗୁଳ, କନ୍ଧମାଳ ଓ କୋରାପୁଟରେ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାସହ ଆସନ୍ତା ୨୪ ଘଣ୍ଟାରେ ଝାରସୁଗୁଡା କେନ୍ଦୁଝର ,ଖୋର୍ଦ୍ଧା , କଟକ, ଜଗତସିଂହପୁର, କେନ୍ଦ୍ରାପଡା ଏବଂ କଳାହାଣ୍ଡିରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ନେଇ ସତର୍କତା ଜାରିକରାଯାଇଛି । ସେହିପରି ଆସନ୍ତାକାଲି କୋରାପୁଟ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ଓ ସୁନ୍ଦରଗଡରେ ଘନ କୁହୁଡିର ଦୃଶ୍ୟକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ଗୁରୁବାର ଜି.ଉଦୟଗିରିରେ ରାତି ତାପମାତ୍ରା ୫.୪ ଡିଗ୍ରୀ ଥିଲା । ଫୁଲବାଣୀରେ ୭.୫, ରାଉରକେଲାରେ ୭.୯, ଦାରିଙ୍ଗିବାଡ଼ିରେ ୯, ସୁନ୍ଦରଗଡ଼ରେ ୯.୧, ଅନୁଗୁଳ ଓ କେନ୍ଦୁଝରରେ ୯.୬, ଭବାନୀପାଟଣା ଓ ବଲାଙ୍ଗିରରେ ପାରଦ ୧୦ଡିଗ୍ରୀ ରହିଥିଲା। ଶନିବାର ଫୁଲବାଣୀରେ ରାତି ତାପମାତ୍ରା ୮ ଡିଗ୍ରୀ ଓ ରାଉରକେଲାରେ ୯ ଡିଗ୍ରୀ ରହିବ ବୋଲି ଆକଳନ କରାଯାଇଛି । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ବା ଏହାଠାରୁ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ରବିବାର ମଧ୍ୟ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୪ରୁ ୧୫ ଡିଗ୍ରୀ ରହିବ । ରବିବାର ଝାରସୁଗୁଡ଼ା, କେନ୍ଦୁଝର, କଳାହାଣ୍ଡି, ଖୋର୍ଦ୍ଧା, କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ପୁରୀରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ।