ଭୁବନେଶ୍ୱରରେ ବିଭତ୍ସ ହତ୍ୟାକାଣ୍ଡ । ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ମୁଣ୍ଡ-ଗଣ୍ଡି ଅଲ୍ଗା କରିଦେଲେ ଦୁର୍ବୃତ୍ତ । ମୃତ ଯୁବକ ହେଉଛନ୍ତି ସ୍ଥାନୀୟ କେଦାରପଲ୍ଲୀ ବସ୍ତିର ସହଦେବ ନାୟକ । ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି। ୧୩ ବର୍ଷ ପରେ ପୁଣି ଥରେ ରାଜଧାନୀରେ ମୁଣ୍ଡ-ଗଣ୍ଡି ଅଲଗା । ଖବର ଅନୁଯାୟୀ, ବୁଧବାର ସକାଳ ପ୍ରାୟ ୮ଟା ସମୟରେ ସହଦେବ ଏକ ନାଲି ରଙ୍ଗର ଜୁପିଟର ସ୍କୁଟି ଯୋଗେ ଭିଏସ୍ଏସ୍ ନଗରରୁ ରସୁଲଗଡ଼ ପଟକୁ ଆସୁଥିଲେ । ଏହି ସମୟରେ ୪ ଜଣ ଯୁବକ ଦୁଇଟି ବାଇକ୍ରେ ତାଙ୍କୁ ପିଛା କରିଥିଲେ । ଜାତୀୟ ରାଜପଥର ବାଣୀବିହାର ଓଭରବ୍ରିଜ ଉପରେ ତାଙ୍କୁ ଅତର୍କିତ ଖଣ୍ଡାରେ ଚୋଟ ମାରିଥିଲେ । ଫଳରେ ତାଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇଯାଇଥିଲା । ଏହି ହତ୍ୟାକାଣ୍ଡ ଘଟାଇବା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ସହଦେବ ଆଜି ସକାଳେ ରସୁଲଗଡ଼ରୁ ବାଣୀବିହାର ଓଭରବ୍ରିଜରେ ଯାଉଥିଲେ। ସହଦେବ ସ୍କୁଟିରେ ଯାଉଥିବା ବେଳେ ତାଙ୍କୁ ପଛ ବାଇକ୍ରେ ଆସୁଥିବା କେହି ମାରଣାସ୍ତ୍ରରେ ଚୋଟ ପକାଇଥିଲା। ଫଳରେ ଚଳନ୍ତା ବାଇକ୍ରୁ ସହଦେବଙ୍କ ବେକ ମୁଣ୍ଡରୁ ଅଲଗା ହୋଇ ଯାଇଥିଲା। ଏହାପରେ ଖାଲି ଶରୀର ରାସ୍ତା ଉପରେ ଛିଟିକି ପଡ଼ିଥିଲା। ତେବେ କିଏ ଓ କାହିଁକି ଏଭଳି ନୃଶଂସ ଅମାନୁଷିକ କାଣ୍ଡ ଘଟାଇଲା କାରଣ ଅସ୍ପଷ୍ଟ। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଖୋଜୁଛି। ତେବେ ସକାଳୁ ସକାଳୁ ମର୍ଣ୍ଣିଂ ୱାକ୍ରେ ଯାଉଥିବା ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ମଞ୍ଚେଶ୍ୱର ଓ ଶହୀଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ ସହ ପୋଲିସ ଛାନଭିନ କରୁଥିବା ବେଳେ କେତେକ ପ୍ରତ୍ୟେକଦର୍ଶୀଙ୍କୁ ପଚରାଉଚରା କରୁଛି । ପ୍ରାଥମିକ ତଦନ୍ତରୁ ଏହା ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ୨୦୧୧ ଜାନୁଆରୀ ଘଟଣାର ପୁଣି ଥରେ ପୁନରାବୃତ୍ତି ହୋଇଛି । ୨୦୧୧ ଜାନୁଆରୀ ୨୭ ତାରିଖ ରାତି ସାଡେ ୯ଟା ବେଳେ ରସୁଲଗଡ ଜିଜିପି କେନାଲ ରୋଡରେ ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲା । ସଂଜୟ ଗୌଡ ନାମକ ଜଣେ ଯୁବକଙ୍କୁ କୁଖ୍ୟାତ ଅପରାଧୀ ଗଞ୍ଜାମର ପ୍ରଦୀପ ପଲାଇ ଚାପଡରେ ହାଣି ଗଣ୍ଡି-ମୁଣ୍ଡ ଅଲଗା କରିଦେଇଥିଲା। ସେତେବେଳେ ଗଣ୍ଡିରୁ ମୁଣ୍ଡ ଛିଡି ଯାଇ ବିକ୍ଷିପ୍ତ ହୋଇପଡିଥିବା ବେଳେ ଏବେ କିନ୍ତୁ ଗଣ୍ଡିରେ ମୁଣ୍ଡ ସାମାନ୍ୟ ଝୁଲି ରହିଛି । ସେହି ଘଟଣା ସେତେବେଳେ କମିଶନରେଟ ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଥିଲା । ଏହି ଘଟଣାର ୧୩ ବର୍ଷ ପରେ ପୁଣି ଥରେ ରାଜଧାନୀରେ ମୁଣ୍ଡ-ଗଣ୍ଡି ଅଲଗା ଘଟଣା ସହରବାସୀଙ୍କ ନିଦ ହଜାଇ ଦେଇଛି । ପ୍ରବାସୀ ଭାରତୀୟ ସମ୍ମିଳନୀ ନିମନ୍ତେ ରାଜଧାନୀ ଏକ ପ୍ରକାର ପୁଲିସ୍ ଛାଉଣୀରେ ପରିଣତ ହୋଇଛି। ଏହାପରେ ବି ଜାତୀୟ ରାଜପଥରେ ଜଣେ ଯୁବକଙ୍କୁ ଏପରି ନିର୍ମମ ହତ୍ୟାକାଣ୍ଡକୁ ରାଜଧାନୀବାସୀ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ପୁଲିସ୍ ତୁରନ୍ତ ହତ୍ୟାକାରୀଙ୍କୁ ଗିରଫ କରିବା ସହ ଏହା ପଛର କାରଣ ଖୋଜି ବାହର କରୁ ବୋଲି ଦାବି ହେଉଛି।