ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ୯୨ବର୍ଷ ବୟସରେ ପରଲୋକ ହୋଇଛି । ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ଆଜି ରାତି ୯.୫୧ରେ ତାଙ୍କର ମୃତ୍ୟୁ ହୋଇଥିବା AIIMS ଡାକ୍ତର କହିଛନ୍ତି । ତାଙ୍କ ମୃତ୍ୟୁରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି । ଅନ୍ତିମ ସମୟରେ ଶ୍ରୀ ସିଂହଙ୍କ ପାଖରେ ତାଙ୍କ ପତ୍ନୀ ଗୁରୁଶରଣ କୌର ଓ ୩ ଝିଅ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦିଲ୍ଲୀ ଏମ୍ସରେ ପହଞ୍ଚିଛନ୍ତି । ସେହିପରି CWC ପାଇଁ କର୍ଣ୍ଣାଟକରେ ଥିବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ବରିଷ୍ଠ ନେତା ରାହୁଲ ଗାନ୍ଧି ମଧ୍ୟ ଦିଲ୍ଲୀ ଆସୁଛନ୍ତି । ପିଭି ନରସିଂହ ରାଓଙ୍କ ସରକାରରେ ମନମୋହନ ସିଂହ ଦେଶର ଅର୍ଥମନ୍ତ୍ରୀ ଥିଲେ । ଆରବିଆର ଗଭର୍ଣ୍ଣର ଭାବେ କାମ କରି ସାରିଥିବା ମନମୋହନ ସିଂହ ୨୦୦୪ରୁ ୨୦୧୪ ଯାଏ ଦେଶର ପ୍ରଧାନମନ୍ତ୍ରୀ ଭାବେ କାମ କରିଥିଲେ । ଶ୍ରୀ ସିଂହଙ୍କ ପରଲୋକ ଯୋଗୁ ଆସନ୍ତାକାଲି କଂଗ୍ରେସର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ଦଳ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି । ତାଙ୍କ ପାର୍ଥିବ ଶରୀର ଦିଲ୍ଲୀର ମୋତିଲାଲ ନେହରୁ ରୋଡ ସ୍ଥିତ ଆବାସରେ ରଖାଯାଇଛି । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ରାଜନେତା ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି । ବିଜେପି, କଂଗ୍ରେସ ଏବଂ ଅନ୍ୟ ପାର୍ଟିର ରାଜନେତା ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ କେନ୍ଦ୍ର ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ଆସନ୍ତାକାଲି ରାଜକୀୟ ସମ୍ମାନରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ । ତେବେ ମନମୋହନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହାଛଡା ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜେପି ନଡ୍ଡା ମଧ୍ୟ ପହଞ୍ଚିଛନ୍ତି । ବିଜେପିର ଅନେକ ବରିଷ୍ଠ ନେତା ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଆସନ୍ତାକାଲି ପୂର୍ବ ପ୍ରଧାନମନ୍ତ୍ରୀଙ୍କ ପାର୍ଥିବ ଶରୀରକୁ କଂଗ୍ରେସର ମୁଖ୍ୟାଳୟକୁ ନିଆଯିବ । ସେଠାରେ ଶ୍ରଦ୍ଧାଞ୍ଜଳି ଦିଆଯିବ । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ମହମୋହନ ସିଂହଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ତାଙ୍କ ଅନ୍ତିମ ସଂସ୍କାର ରାଜଘାଟ ପାଖରେ ହେବ । ଦିଲ୍ଲୀ ଏମ୍ସରେ ପରଲୋକ ପରେ ମର ଶରୀରକୁ ତାଙ୍କ ବାସଭାବନକୁ ଅଣାଯାଇଛି । ଉଦାରୀକରଣ ଅର୍ଥନୀତିର ବିନ୍ଧାଣୀ ମନମୋହନ ସିଂ ଦୁଇ ଥର ପ୍ରଧାନମନ୍ତ୍ରୀ ଥିଲେ । ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ୧୦ ବର୍ଷ ଧରି ୟୁପିଏ ସରକାର ଅମଳରେ ସେ ପ୍ରଧାନମନ୍ତ୍ରୀ ଥିଲେ । ୧୯୯୮ରୁ ୨୦୦୪ ଯାଏ ଶ୍ରୀ ମହମୋହନ ସିଂହ ରାଜ୍ୟସଭାରେ ବିରୋଧୀ ଦଳ ମୁଖ୍ୟ ଭାବେ କାମ କରିଥିଲେ । ଚଳିତ ବର୍ଷ ସେ ରାଜ୍ୟସଭାରୁ ଅବସର ନେଇଥିଲେ । ୧୯୯୧ ଅର୍ଥନୀତି ସଂସ୍କାରର ସେ ଥିଲେ ସ୍ଥପତି । ଭାରତୀୟ ଅର୍ଥନୀତିରେ ସେ ଛାପ ଛାଡ଼ି ଯାଇଛନ୍ତି । ଡକ୍ଟର ମନମୋହନ ସିଂ କେବଳ ଦେଶର ପ୍ରଧାନମନ୍ତ୍ରୀ ନଥିଲେ । ସେ ବହୁ ସରକାରୀ ପଦ ପଦବୀରେ ରହି କାର୍ଯ୍ୟ କରିଥିଲେ । ଚିଫ୍ ଇକୋନୋମିକ୍ ଆଡଭାଇଜର ଥିଲେ ମନମୋହନ । ଆରବିଆଇ ଗଭର୍ଣ୍ଣର ଥିଲେ । ପ୍ଲାନିଂ କମିଶନ ମୁଖ୍ୟ ଥିଲେ ମନମୋହନ ସିଂ।