କୋଲକାତାର ଏକ ମେଡିକାଲ କଲେଜରେ ଜୁନିୟର ମହିଳା ଡାକ୍ତରଙ୍କ ମୃତ୍ୟୁ ମାମଲାରେ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ଜାମିନ ମିଳିଛି । ସିୟାଲଦହ କୋର୍ଟ ସନ୍ଦୀପ ଘୋଷଙ୍କୁ ଜାମିନ ପ୍ରଦାନ କରିଛନ୍ତି । ତେବେ ଦୁର୍ନୀତି ମାମଲାରେ ସିବିଆଇ ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ପ୍ରକୃତରେ, କୋର୍ଟ ଅଭିଯୁକ୍ତଙ୍କ ଆବେଦନ ଶୁଣାଣି ବେଳେ ସନ୍ଦୀପ ଘୋଷ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ଅଭିଜିତ ମଣ୍ଡଳଙ୍କୁ ଜାମିନ ପ୍ରଦାନ କରିଛନ୍ତି ।ଅଭିଜିତ୍ ମଣ୍ଡଳ କୋଲକାତା ପୋଲିସ ଇନ୍ସପେକ୍ଟର ଥିଲେ, ଯାହାଙ୍କୁ ସିବିଆଇ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗିରଫ କରିଥିଲା । କିନ୍ତୁ ଗିରଫ ହେବାର ୯୦ ଦିନ ପରେ ମଧ୍ୟ ସିବିଆଇ ସେମାନଙ୍କ ବିରୋଧରେ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରି ନ ଥିଲା । ଏବେ କୋର୍ଟ ଉଭୟଙ୍କୁ ଜାମିନ ଦେଇଛନ୍ତି ।ଅଗଷ୍ଟ ୯ରେ ଏହି ମେଡିକାଲ କଲେଜର ସେମିନାର୍ ହଲରୁ ଜଣେ ଜୁନିୟର ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଯୁବ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ନାଗରିକ ସ୍ୱେଚ୍ଛାସେବୀ ସଞ୍ଜୟ ରୟଙ୍କୁ ଗିରଫ କରାଯାଇଥିଲା । କଲେଜର ତତ୍କାଳୀନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ଭୂମିକାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ରେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ସନ୍ଦୀପ ଘୋଷଙ୍କୁ ଲଗାତାର ପଚରାଉଚରା କରିବା ପରେ ଦୁର୍ନୀତି ଅଭିଯୋଗରେ ଗିରଫ କରିଥିଲା । ଏହାପରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ଶେଷରେ ସନ୍ଦୀପ ଘୋଷଙ୍କୁ ଏହି ମାମଲାରେ ଜାମିନ ମିଳିଛି । ତଲା ଥାନାର ତତ୍କାଳୀନ ଓସି ଅଭିଜିତ୍ ମଣ୍ଡଳଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କୁ ମଧ୍ୟ ଜାମିନ ମିଳିଛି । ସନ୍ଦୀପଙ୍କ ବିରୋଧରେ ଅଗଷ୍ଟ ୧୯ରେ ଆଇପିସିର ଧାରା ୧୨୦ ବି, ୪୨୦ ଏବଂ ଦୁର୍ନୀତି ନିବାରଣ ଅଧିନିୟମ, ୧୯୮୮ର ଧାରା ୭ ଅଧୀନରେ ମାମଲା ରୁଜୁ କରାଯାଇଥିଲା ।