ନାବାଳିକାକୁ ଦୁଷ୍କର୍ମ ମାମଲାରେ ଦଣ୍ଡାଦେଶ । ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ପୋକସୋ କୋର୍ଟ । କନ୍ଧମାଳ ଜିଲ୍ଲା ଫୁଲବାଣୀର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏବଂ ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ରାଜେଶ ଦାସ ଏହି ମାମଲାର ବିଚାର କରି ଏହି ରାୟ ଶୁଣାଇଛନ୍ତି । ପୀଡିତା ଓ ୧୭ ଜଣ ସାକ୍ଷୀଙ୍କ ବୟାନ ଓ ଡାକ୍ତରୀ ରିପୋର୍ଟ ଆଧାରରେ ଅଭିଯୁକ୍ତ ଧନେଶ୍ଵର କହଁରକୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଓ ଲକ୍ଷେ ପାଞ୍ଚ ହଜାର ଟଙ୍କା ଜରିମାନା ହୋଇଛି। ଜରିମାନା ଅନାଦେୟ ହେଲେ ଅଧିକ ୧୪ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ଫୁଲବାଣୀର ପୋକ୍ସୋ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ୧୫ ବର୍ଷୀୟା ନାବାଳିକା ତାଙ୍କ ବଡ଼ ଭଉଣୀଙ୍କ ଘର ଟିକାପାଲି ଥାନା ଅଞ୍ଚଳରେ ରହି ପାଠ ପଢ଼ୁଥିଲେ। ୨୦୨୪ ମାର୍ଚ୍ଚ ୧୧ ତାରିଖରେ ନାବାଳିକାଙ୍କ ବଡ଼ ଭଉଣୀ ଅଫିସ୍ ଯାଇଥିଲେ। ଆଉ ନାବାଳିକା ଜଣକ ଏକାକୀ ଘରେ ଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ଧନେଶ୍ୱର କହଁର ଘରେ ପଶି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଠିକ୍ ସେତିକି ବେଳେ ନାବାଳିକାଙ୍କ ବଡ଼ ଭଉଣୀ ଘରକୁ ଆସିଥିବା ବେଳେ ଦେଖିନେଇଥିଲେ। ସେ ଅଭିଯୁକ୍ତ ଧନେଶ୍ୱରକୁ ଧରିବାକୁ ଚେଷ୍ଟା କରିଥିଲେ। ମାତ୍ର ସେ ଚମ୍ପଟ ମାରିଥିଲା। ପୀଡିତାଙ୍କୁ କ୍ଷତି ପୂରଣ ବାବଦରେ ୭ ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ଆଇନ ସେବା ପ୍ରାଧୀକରଣକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ସ୍ବତନ୍ତ୍ର ପୋକ୍ସୋ ସରକାରୀ ଓକିଲ ଅସୀମ ପ୍ରହରାଜ ।