ରାଉରକେଲା : ସାରା ଦେଶରେ ନଭେମ୍ବର ୧୬ ତାରିଖ ଦିନ ପାଳନ ହୋଇଛି ଜାତୀୟ ପ୍ରେସ୍ ଦିବସ। ଏହି ଦିନ ଭାରତୀୟ ଗଣମାଧ୍ୟମ ପରିଷଦ ବା ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆ ଗଠିତ ହୋଇଥିବାରୁ ଏହିଦିନଟିକୁ ଜାତୀୟ ପ୍ରେସ୍ ଦିବସ ଭାବେ ପାଳନ କରାଯାଇଥାଏ। ଏହି କ୍ରମରେ ରାଉରକେଲା ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ସହରର ଉଦିତ ନଗର ସ୍ଥିତ ଆଇଟିଡିଏ ସମ୍ମିଳନୀ କକ୍ଷରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଗଣମାଧ୍ୟମ ସର୍ବଦା ପ୍ରକୃତ ସତ୍ୟ ଲୋକ ଲୋଚନକୁ ଆଣିଥାଏ। ତେଣୁ ପ୍ରଶାସନ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଓ ପାରସ୍ପରିକ ସହଯୋଗ ସ୍ଥାପନା ନିମନ୍ତେ ମୁଖ୍ୟ ଅତିଥି ଆହ୍ୱାନ ଦେଇଥିଲେ। ଏଥିରେ ସମ୍ମାନିତ ଅତିଥିଭାବେ ପାନପୋଷ ଉପଖଣ୍ଡ କୃଷି ଅଧିକାରୀ ଜି. ଜୟନ ଯୋଗଦେଇ ପ୍ରେସ୍ ଦିବସ ଉପଲକ୍ଷେ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇଥିଲେ l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କାଙ୍କ ପୌରହିତ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମର ସଞ୍ଚାଳନ ଓ ସଂଯୋଜନା ଅଧ୍ୟାପକ ମହେନ୍ଦ୍ର ମିଶ୍ର କରିଥିଲେ। ଶ୍ରୀମତୀ ଏକ୍କା ଏହି ଅବସରରେ ରାଉରକେଲା ସୂଚନା ଓ ଲୋକ ସମ୍ପର୍କ ଜିଲ୍ଲାର ସାମ୍ବାଦିକମାନଙ୍କ ସମ୍ପର୍କରେ ସୂଚନା ଦେବା ସହ ପ୍ରଶାସନ ସହିତ ମିଳିତଭାବେ କାର୍ଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ। ‘ଗଣମାଧ୍ୟମର ପରିବର୍ତ୍ତିର ସ୍ୱରୂପ’ ଶୀର୍ଷକ ଆଲୋଚନାରେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ବ୍ରହ୍ମା, ଦେବବ୍ରତ ପଟ୍ଟନାୟକ, ସତ୍ୟାନନ୍ଦ ବେହେରା, ନିଗମାନନ୍ଦ ଦାସ, ବିବେକାନନ୍ଦ ଦାସ ପ୍ରମୁଖଙ୍କ ସମେତ ପବନ ତିୱାରୀ ନିଜର ଅନୁଭୁତି ଓ ଅଭିଜ୍ଞତା ସମ୍ପର୍କରେ ଆଲୋଚନା କରିଥିଲେ। ଏହା ସହିତ ବକ୍ତାମାନେ ସାମ୍ପ୍ରତିକ ସମୟରେ ସୂଚନା ଓ ପ୍ରଯୁକ୍ତି ବିଜ୍ଞାନର ଅଭିବୃଦ୍ଧି ସହିତ ଗଣମାଧ୍ୟମର ସ୍ୱରୂପ ପରିବର୍ତ୍ତନର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ବଣାଇ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପୁଷ୍ପାଞ୍ଜଳି ସାହୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଭିନ୍ନ ସମ୍ବାଦପତ୍ର ସମ୍ବଳିତ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ପ୍ରାୟ ୫୦ଟି ସମ୍ବାଦପତ୍ର ଓ ପତ୍ରିକା ସ୍ଥାନ ପାଇଥିଲା। ସମସ୍ତ କାର୍ଯ୍ୟକ୍ରମ ଆୟୋଜନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୁନନ୍ଦା ଦତ୍ତ, ସୌମ୍ୟ ରଞ୍ଜନ ପରିଡ଼ା, ପ୍ରଦୀପ ମଲ୍ଲିକ, ଭୁମା ଅହିର ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଓ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ସାମ୍ବାଦିକତା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l