ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ଟିକାକରଣ । ରାଜ୍ୟରେ ଆବଶ୍ୟକ ପରିମାଣର ଟିକା ନାହିଁ। ତେବେ ବିଭିନ୍ନ ରାଜ୍ୟରେ ଏବେ ଦେଖାଦେଇଛି ଟିକାର ଅଭାବ । ଓଡ଼ିଶା, ମହାରାଷ୍ଟ୍ର, ପଞ୍ଜାବ ସମେତ ବିଭିନ୍ନ ରାଜ୍ୟରେ ଟିକା ଅଭାବରୁ ଟିକାକରଣ ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ବାରାଣାସୀରେ ଭ୍ୟାକସିନ୍ ଅଭାବରୁ ଅଧିକାଂଶ ଟିକା କେନ୍ଦ୍ର ବନ୍ଦ ହେବାରେ ଲାଗିଛି । ମହାରାଷ୍ଟ୍ରରେ ବି ସମାନ ଅବସ୍ଥା । ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଆମ ରାଜ୍ୟରେ ପର୍ୟ୍ୟାପ୍ତ ପରିମାଣର ଟିକା ନାହିଁ । ଟିକା ନେବାକୁ ଆସୁଥିବା ଲୋକଙ୍କୁ ଫେରାଇବାକୁ ପଡୁଛି । ଅଧିକାଂଶ କେନ୍ଦ୍ର ବନ୍ଦ ହୋଇ ପଡିଛି । ବାଧ୍ୟ ହୋଇ ଆମେ କେନ୍ଦ୍ର ସରକାରଙ୍କୁ ଭ୍ୟାକସିନ୍ ପଠାଇବାକୁ ଅନୁରୋଧ କରୁଛି । ଆନ୍ଧ୍ର ଓ ଝାଡଖଣ୍ଡ ସରକାର ତରଫରୁ ଆହୁରି ଟିକା ପଠାଇବାକୁ ଚିଠିରେ କୁହାଯାଇଛି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ମହାରାଷ୍ଟ୍ର, ଦିଲ୍ଲୀ ପରେ ଓଡ଼ିଶା ସରକାର। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ଏହାକୁ ନେଇ ଜବାବ ରଖିଛନ୍ତି। ସେ କହିଛନ୍ତି କରୋନା ମୁକାବିଲାରେ ନିଜର ଅପାରଗତାକୁ ଲୁଚାଇବାକୁ ଯାଇ ଟିକା ଅଭାବର ଅଭିଯୋଗ ଆସୁଛି। ଏଭଳି ପ୍ରୟାସ ନିନ୍ଦନୀୟ। ଏମିତି ହେଲେ ଲୋକମାନେ ଭୟଭୀତ ହୋଇଯିବେ ବୋଲି ସେ କହିଛନ୍ତି। କୋଭିଡ୍ ଭଳି ଗୁରୁତର ସ୍ୱାସ୍ଥ୍ୟ ପ୍ରସଙ୍ଗର ରାଜନୀତିକରଣ ଓ ଟିକା ଯୋଗାଣକୁ ନେଇ ଆତଙ୍କ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି। ଏହା ନିନ୍ଦନୀୟ। କରୋନାକୁ ନିୟନ୍ତ୍ରଣ କରିବାରେ ନିଜର ବିଫଳତା ଲୁଚାଇବାକୁ ଯାଇ ଏଭଳି ପରିସ୍ଥିତି ତିଆରି କରାଯାଉଛି। ବିଭିନ୍ନ ରାଜ୍ୟରେ କେତେ ଟିକା ଖର୍ଚ୍ଚ ହେଉଛି ତା ଉପରେ ତୀକ୍ଷ୍ଣ ନଜର ରଖାଯାଉଛି ଏବଂ ଦେଶରେ କୌଣସି ଭାଗରେ ଟିକାର ଅଭାବ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।