ଗୁରୁବାର ଦିନ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ସୁକିନ୍ଦା ଅଞ୍ଚଳର ବିଭିନ୍ନ ସ୍ଥାନରୁ ୫ଜଣ ନାବାଳକଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। ଶିଶୁ ସହାୟତା ସେବା ସଂଗଠନ ଯାଜପୁର ଜିଲ୍ଲା ସଂଯୋଜକ ବରେନ୍ଦ୍ର କୃଷ୍ଣ ଦାସ, ରଜତ କୁମାର ସାହୁ ଓ ସ୍ଥାନୀୟ ପୋଲିସର ମିଳିତ ସହଯୋଗରେ ଏହି ଉଦ୍ଧାର କାର୍ଯ୍ୟ ସମ୍ପାଦନ ହୋଇଥିଲା। ୫୩ନଂ ଜାତୀୟ ରାଜପଥ ସୁକିନ୍ଦା ନିକଟ ଦୁଇଟି ସର୍ଭିସ ସେଣ୍ଟରରୁ ୩ଜଣ, ଜଣେ ବ୍ୟକ୍ତିଙ୍କ ଘରେ ରହି ତାଙ୍କ ଛେଳି, ଗାଈ ଚରାଉଥିବ ଜଣେ ଓ ହାତୀବାରିର ଏକ ଦୋକାନରେ କାମ କରୁଥିବା ଜଣେ ନାବାଳକକୁ ମିଶାଇ ମୋଟ ୫ଜଣ ନାବାଳକଙ୍କୁ ଏହି ଟିମ୍ ଉଦ୍ଧାର କରିଥିବା ଜଣାପଡିଛି। ସମସ୍ତ ଶିଶୁଙ୍କ ବୟସ ୧୨-୧୪ ବୟସ ମଧ୍ୟରେ। ଉଦ୍ଧାର ନାବାଳକ ମାନଙ୍କୁ ଯାଜପୁର ସ୍ଥିତ ବାଳାଶ୍ରମରେ ଛଡାଯାଇଛି।ତଦନ୍ତ ପରେ ବେଆଇନ କାର୍ଯ୍ୟ କରାଉଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।