ଆଉ ନାହାନ୍ତି ଭାରତର ରତ୍ନ ତଥା ବିଶିଷ୍ଟ ଶିଳ୍ପପତି ରତନ ଟାଟା। ତାଙ୍କ ବିୟୋଗରେଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ଦିନିକିଆ ଶୋକ ଘୋଷଣା କରିଛନ୍ତି ଉଭୟ ରାଜ୍ୟର ସରକାର। ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ଦିନିକିଆ ଛୁଟି ଘୋଷଣା ହୋଇଛି। ଆଜି ସମସ୍ତ ସ୍କୁଲ କଲେଜ ବନ୍ଦ ରଖାଯାଇଛି। ଝାଡ଼ଖଣ୍ଡ ସହ ଟାଟାଙ୍କ ଥିଲା ବିଶେଷ ସମ୍ପର୍କ। ଜାମସେଦପୁରରୁ ଆରମ୍ଭ ହୋଇଥିଲା ଟାଟା ଗ୍ରୁପର ଯାତ୍ରା। ସେହିପରି ମୁମ୍ବାଇ ହେଉଛି ରତନ ଟାଟାଙ୍କ ହୋମ୍ ଟାଉନ୍। ତେଣୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୁରୁବାର ଦିନ ଦିନିକିଆ ଶୋକ ଘୋଷଣା କରିଛନ୍ତି। ରତନ ଟାଟାଙ୍କ ସମ୍ମାନାର୍ଥେ ଏହି ଦୁଇ ରାଜ୍ୟ ଶୋକ ପାଳନ କରୁଛି।
ଶିଳ୍ପପତି ରତନ ଟାଟାଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶିଳ୍ପପତି ରତନ ଟାଟାଙ୍କ ପରଲୋକ ଦୁଃଖଦାୟକ, ଦେଶ ଜଣେ ଶିଳ୍ପ ଲିଜେଣ୍ଡଙ୍କୁ ହରାଇଲା ବୋଲି ଟ୍ବିଟ କରି କହିଲେ ମୁଖ୍ୟମନ୍ତ୍ରୀ । ଦେଶର ବିକାଶରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ତାଙ୍କ ପରିବାର ଓ ନିକଟ ସମ୍ପର୍କୀୟଙ୍କୁ ଗଭୀର ସମବେଦନା ଜଣାଉଛି କହିଲେ ମୁଖ୍ୟମନ୍ତ୍ରୀ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି। ରତନ ଟାଟା ଜଣେ ସୁବର୍ଣ୍ଣ ହୃଦୟଧାରୀ ମଣିଷ ଥିଲେ । ବ୍ୟବସାୟ ତଥା ଉଦ୍ୟୋଗ ଜଗତ ପାଇଁ ତାଙ୍କ ଅବଦାନ ସ୍ମରଣୀୟ। ବିଶ୍ବର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା ଥିଲେ କହିଲେ କେନ୍ଦ୍ରମନ୍ତ୍ରୀ ।