ଯାଜପୁର ଜିଲା ମଧୁପୁରଗଡ ଶୁନାମୁହିଁ ଠାରେ ସମ୍ବାଦ ପକ୍ଷରୁ ପରିବେଶ ପଞ୍ଚାୟତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ସଭାପତି ଭାବରେ ମଞ୍ଚ ଅଳଙ୍କୃତ କରିଥିଲା ବେଳେ ମୁଖ୍ୟ ଅତିଥି ଭାବରେ ବିଧାୟକ ହିମାଂଶୁ ଶେଖର ସାହୁ ଓ ଅବସରପ୍ରାପ୍ତ ଅଧ୍ୟାପକ ମନୋରଞ୍ଜନ ମହାନ୍ତି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସାମ୍ପ୍ରତିକ ସମୟରେ ଧର୍ମଶାଳାର ପରିବେଶକୁ ନେଇ ବିଷଦ ଅଲୋଚନା କରିବା ସହିତ ଆମ ପରିବେଶ କିପରି ସୁସ୍ଥ ରହି ପାରିବ ସେଥି ନେଇ ଜନ ସଚେତନତା ସୃଷ୍ଟି କରିଥିଲେ । ଶ୍ରୀଯୁକ୍ତ ମହାନ୍ତି ଧର୍ମଶାଳାରେ କଳା ପଥର ଉତୋଳନ, ଓାଗନ ବ୍ଲାଷ୍ଟିଙ୍ଗ ଯୋଗୁ ଭୂତଳ ଜଳ ସାହିତ ପରିବେଶ ପ୍ରଦୂଷଣ ମୁଖ୍ୟ କାରଣ ବୋଲି କହିଥିଲେ । ସେହିପରି ବିଧାୟକ କହିଥିଲେ ଧର୍ମଶାଳାର ବିକାଶ ପାଇଁ ଯେତିକି ଅବଶ୍ୟକ ସେତିକି ପରିମାଣର କଳାପଥର ଉତ୍ତୋଳନ ନିୟମ କାନୁନ ଭିତରେ ରହି କରିବା ଅବଶ୍ୟକ ହୋଇଥିବା ବେଳେ ବେଆଇନ ବା ଚୋରା ଚାଲାଣ ଉପରେ ରୋକ ଲାଗିବ । ଏଥି ସହିତ ପରିବେଶରେ ସନ୍ତୁଳନ ରକ୍ଷା କରିବା ଦିଗରେ ଯାହା କରାଯିବା କଥା ତାହା ଆଗାମି ଦିନରେ କରାଯିବ । ଅନେକ ପାହାଡରେ ବୃକ୍ଷ ରୋପଣ କରାଯିବ । ସମ୍ବାଦ ଗ୍ରୁପ ଅଧ୍ୟକ୍ଷ କହିଥିଲେ ମା, ମାଟି, ମାତୃଭାଷା, ମୋବାଇଲ ଏବଂ ମଦ ଏହି ପାଞ୍ଚଟି ‘ମ’ ଉପରେ ଫୋକସ କରାଗଲେ ଏକ ସୁନ୍ଦର ପରିବେଶ ସୃଷ୍ଟି ହୋଇ ପାରିବ । ଇଶ୍ବର ଆମକୁ ଏକ ସୁନ୍ଦର ପରିବେଶ ଦେଇଛନ୍ତି । କଳାପଥର ଉତ୍ତୋଳନ ଉପରେ, ପାହାଡ ଧ୍ୱଂସ ଉପରେ ଯଦି ନିୟନ୍ତ୍ରଣ କରାନଯିବ ତେବେ ଭବିଷ୍ୟତ ପିଢି ପାହାଡ କଣ ଆଉ ଜାଣିବାକୁ ପାଇବେ ନାହିଁ । ତେଣୁ ମାଆ ମାନେ ସଚେତନ ହେଲେ ପ୍ରକୃତିର ସୁରକ୍ଷା ହେବା ସହିତ ପରିବେଶର ସୁରକ୍ଷା ହୋଇପାରିବ । କାର୍ଯ୍ୟକ୍ରମକୁ ସମ୍ବାଦ ଯାଜପୁର ସଂସ୍କରଣ ମୁଖ୍ୟ ଗଦାଧର ପଣ୍ଡା ସଂଚାଳନ କରିଥିବା ବେଳେ ମୁଖ୍ୟ ଜିଲା ପ୍ରତିନିଧି ସଂଗ୍ରାମ ସିଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାମ୍ବାଦିକ ପ୍ରବୋଧ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ