ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାରେ ଏକ ଆଶ୍ଚର୍ୟ୍ଯଜନକ ଡକାୟତି ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଗୁରୁବାର ଦିନ ତିନିଜଣ ପୋଲିସ୍ କର୍ମୀଙ୍କୁ ଗିରଫ ସହିତ ନିଲମ୍ବିତ କରାଯାଇଛି। ଗୋରଖପୁରର ବରିଷ୍ଠ ପୋଲିସ୍ ଅଧିକ୍ଷକ ଯୋଗେନ୍ଦ୍ର କୁମାର ଏନେଇ କହିଛନ୍ତି ଯେ, ଅଭିଯୁକ୍ତଙ୍କ ଠାରୁ ପୋଲିସ୍ ୧୯ଲକ୍ଷ ନଗଦ ଟଙ୍କା, ୧୨ ଲକ୍ଷ ଟଙ୍କାର ସୁନା, ୪ଲକ୍ଷ ଟଙ୍କାର ରୂପା ଏବଂ ଏହି ଲୁଟର ବ୍ଯବହୃତ କାରକୁ ଜବତ କରିଛି। ଗୋରଖପୁରର ପାଡଲି ଗଞ୍ଜ ଅଞ୍ଚଳରେ ଦୁଇ ଜଣ ଗହଣା ଦୋକାନୀଙ୍କୁ ଲୁଟିଥିବା ଅଭିଯୋଗରେ ଏହି ତିନି ଜଣ ପୋଲିସ୍ କର୍ମଚାରୀ ଏବଂ ସେମାନଙ୍କ ସହ ସାମିଲ୍ ଅନ୍ୟ ୬ଜଣ ଲୋକଙ୍କୁ ପୋଲିସ୍ ଗିରଫ କରିଥିବା କହିଛି। ଘଟଣା ଅନୁସାରେ ଅଭିଯୋଗକାରୀ ଦୀପକ ଶର୍ମା ଏବଂ ରାଜୁ ବର୍ମା ଗତ ବୁଧବାର ସକାଳୁ ବସରେ ଗୋରଖପୁର ଆସିଥିଲେ। ସେଠାରୁ ଲକ୍ଷ୍ନୌ ଯିବା ପାଇଁ ଅନ୍ୟ ଏକ ବସରେ ଚଢିଥିଲେ । ପୋଲିସର କହିବା ମୁତାବକ ଏହି ସମୟରେ ୬ଜଣ ସନ୍ଦିଗ୍ଧ ବ୍ଯକ୍ତି ବସରେ ଚଢିଥିଲେ ଏବଂ ଦୁଇ ଜଣ ଗହଣା ଦୋକାନୀଙ୍କୁ ତଳକୁ ଓହ୍ଲାଇବାକୁ କହିଥିଲେ। ଏହାପରେ ସେମାନଙ୍କୁ ମାଡ ମାରିବା ସହ ତାଙ୍କଠାରୁ ଟଙ୍କା, ସୁନା ଏବଂ ରୂପା ଲୁଟି ନେଇଥିଲେ।