ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆସନ୍ତାକାଲିଠୁ ଖୋଲିବ ଭିତରକନିକା । କୁମ୍ଭୀର ପ୍ରଜନନ ପାଇଁ ୩ ମାସ ଧରି ବନ୍ଦ ରହିଥିଲା ଭିତରକନିକା ଜାତୀୟ ଉଦ୍ୟାନ । ଦୀର୍ଘମାସ ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବନବିଭାଗ ପକ୍ଷରୁ ବିଭିନ୍ନ ପ୍ରସ୍ତୁତି କରାଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମେ’ ୧ ରୁ ଜୁଲାଇ ୩୧ ଯାଏ କୁମ୍ଭୀର ପ୍ରଜନନ ପାଇଁ ଭିତରକନିକାରେ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ ରଖାଯାଇଥିଲା । ଚଳିତଥର ଭିତରକନିକାରେ ପର୍ଯ୍ୟଟକଙ୍କ ପାଇଁ ତିଆରି ହୋଇଛି ସ୍କାଏ ୱାକ । ଏହା ଉପରେ ଯାଇ ଜଙ୍ଗଲର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ପର୍ଯ୍ୟଟକ । ଏହି ୱାକ ୱେ ପ୍ରାୟ ୬ଶହ ମିଟର ଲମ୍ବ ଏବଂ ଏହାକୁ କାଠରେ ତିଆରି କରାଯାଇଛି । ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୋଟିଏ ଥରରେ ୨୦ ଜଣ ପର୍ଯ୍ୟଟକଙ୍କୁ ଏଥିରେ ଛଡାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକଙ୍କ ସହ ଭିତରକନିକା ଉପରେ ନିର୍ଭର କରୁଥିବା ବୋଟ, ହୋଟେଲ, ଟ୍ରାଭେଲ ଏଜେନ୍ସି, ଛୋଟ ବ୍ୟବସାୟ, ଟୁରିଷ୍ଟ ଗାଇଡମାନେ ଚଳଚଂଚଳ ହୋଇ ଉଠିଛନ୍ତି ।