ପ୍ରବଳ ବର୍ଷା ଯୋଗୁ ଶନିବାର ଦିଲ୍ଲୀର ଏକ କୋଚିଂ ସେଣ୍ଟରର ବେସ୍ମେଣ୍ଟରେ ହଠାତ୍ ବହୁତ ପାଣି ପଶିଯିବା ଯୋଗୁ ୩ ଜଣ ଆଇଏଏସ୍ ଆଶାୟୀଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରରେ ଥିବା ଆଇଏଏସ୍ ଷ୍ଟଡି ସର୍କଲରେ ଏହି ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଯୁବକ ଓ ଦୁଇ ଜଣ ଯୁବତୀ ଅଛନ୍ତି। ସେମାନେ ହେଉଛନ୍ତି- ନବୀନ ଦଲୱାନି , ତାନିଆ ସୋନି ଓ ଶ୍ରେୟା ଯାଦବ । ଏହି ଘଟଣାରେ ପୁଲିସ୍ ଏକ ଅପରାଧିକ ମାମଲା ରୁଜୁ କରି ୨ ଜଣଙ୍କୁ ଅଟକ ରଖିଛି। କୋଚିଂ ସେଣ୍ଟରଟି ଯେଉଁ କୋଠାରେ ଚାଲିଛି, ତା’ର ବେସ୍ମେଣ୍ଟରେ ଏକ ଲାଇବ୍ରେରୀ ରହିଛି। ଗତକାଲି ସନ୍ଧ୍ୟାରେ କିଛି ଯୁବକଯୁବତୀ ସେଠାରେ ପଢ଼ାପଢ଼ି କରୁଥିବା ବେଳେ ହଠାତ୍ ବହୁମାତ୍ରାରେ ପାଣି ପଶି ଆସିଥିଲା।
ଫଳରେ ସେମାନେ ସେଠାରେ ଫସି ଯାଇଥିଲେ। ଦଉଡ଼ି ସାହାଯ୍ୟରେ ସେମାନଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। ତେବେ ତାନିଆ, ଶ୍ରେୟା ଓ ନବୀନଙ୍କ ପତ୍ତା ମିଳି ନଥିଲା। ତେଣୁ ଦମକଳ ବାହିନୀ ଓ ପୁଲିସକୁ ଖବର ଦିଆଯାଇଥିଲା। ଆସି ପହଞ୍ଚିଲା ବେଳକୁ ପୂରା ବେସ୍ମେଣ୍ଟରେ ପାଣି ଭର୍ତ୍ତି ହୋଇରହିଥିଲା। ଦମକଳ ବାହିନୀ, ଦିଲ୍ଲୀ ପୁଲିସ୍ ଓ ଏନ୍ଡିଆରଏଫର ମିଳିତ ଟିମ୍ ସର୍ଚ୍ଚ ଅପରେସନ କରି ଉକ୍ତ ନିଖୋଜ ଛାତ୍ରଛାତ୍ରୀଙ୍କ ମୃତଦେହ ପାଇଥିଲେ। ବେସ୍ମେଣ୍ଟରେ ପାଣିରେ ଅନେକ ଫର୍ଣ୍ଣିଚର ଭାସୁଥିବା ଯୋଗୁ ସର୍ଚ୍ଚ ଅପରେସନରେ ଟିକେ ସମସ୍ୟା ସୃଷ୍ଟି ହୋଇଥିଲା ବୋଲି ସେ କହିଛନ୍ତି। ଦିଲ୍ଲୀ ପୁଲିସର ଡିସିପି ହର୍ଷବର୍ଦ୍ଧନ କହିଛନ୍ତି, ପୂରା ବେସ୍ମେଣ୍ଟଟି କେମିତି ପାଣିରେ ଭରିଗଲା, ତାହା ଜାଣିବା ପାଇଁ ଆମେ ତଦନ୍ତ କରୁଛୁ। ଲାଗୁଛି, ହଠାତ୍ ବହୁତ ପାଣି ଦ୍ରୁତଗତିରେ ବେସ୍ମେଣ୍ଟକୁ ପଶି ଆସିଥିଲା। ତେଣୁ ଲାଇବ୍ରେରୀ ଭିତରେ କିଛି ଛାତ୍ରଛାତ୍ରୀ ଫସିଗଲେ। ଏହି ଘଟଣାରେ ଆମେ ଅପରାଧିକ ମାମଲା ରୁଜୁ କରିଛୁ। ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।
ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଆତିଶୀ ‘ଏକ୍ସ’ ଯୋଗେ ଏହି ସୂଚନା ଦେଇଛନ୍ତି। ଦିଲ୍ଲୀର ମେୟର ତଥା ସ୍ଥାନୀୟ ବିଧାୟକ ମଧ୍ୟ ସେଠାରେ ଅଛନ୍ତି। ମୁଁ ପ୍ରତି ମିନିଟରେ ଘଟଣାର ଖବର ନେଉଛି । ଏହି ଘଟଣା କିପରି ଘଟିଲା ସେନେଇ ମାଜିଷ୍ଟ୍ରେଟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣା ପାଇଁ ଯିଏ ଦାୟୀ, ସେ ରକ୍ଷା ପାଇବ ନାହିଁ। ଘଟଣାର ତଦନ୍ତ ଆରମ୍ଭ କରିବାକୁ ଏବଂ ୨୪ ଘଣ୍ଟା ମଧ୍ୟରେ ଏକ ରିପୋର୍ଟ ଦାଖଲ କରିବାକୁ ଆତିଶି ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଏହି ଘଟଣା ଯିଏ ବି ଦୋଷୀ ହୋଇଥିବେ, ତାଙ୍କୁ ଛଡ଼ା ଯିବ ନାହିଁ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ନୂଆଦିଲ୍ଲୀ ସଂସଦୀୟ ବାଂସୁରୀ ସ୍ୱରାଜଙ୍କ ବ୍ୟତୀତ ଦିଲ୍ଲୀର ମେୟର ଶୈଲି ଓବରୋଇ, ବିଧାୟକ ଦୁର୍ଗେଶ ପାଠକ ଏବଂ ବିଜେପି ଦିଲ୍ଲୀ ରାଜ୍ୟ ସଭାପତି ବିରେନ୍ଦ୍ର ସଚ୍ଚଦେବା ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଡ୍ରେନ୍ ସଫା ନ ହେବା ଏବଂ ଡ୍ରେନ୍ ଜଳ କୋଚିଂ ସେଣ୍ଟରର ତଳ ମହଲାରେ ପ୍ରବେଶ କରିଥିବାରୁ ଏହା ଏକ ଦୁର୍ଘଟଣା ବୋଲି ବିଜେପି କହିଛି। ଏହି ଦୁର୍ଘଟଣା ପାଇଁ ଦିଲ୍ଲୀ ସରକାରଙ୍କ ଅବହେଳା ଦାୟୀ। ଜଳ ବୋର୍ଡ ମନ୍ତ୍ରୀ ଆତିଶି ଏବଂ ସ୍ଥାନୀୟ ବିଧାୟକ ଦୁର୍ଗେଶ ପାଠକ ଏହାର ଦାୟିତ୍ବ ଗ୍ରହଣ କରିବା ସହ ଇସ୍ତଫା ଦେବା ଉଚିତ୍ ବୋଲି ସେ ଦାବି କରିଛନ୍ତି।
ଗତକାଲି ସନ୍ଧ୍ୟାରେ ଏହି ଘଟଣା ପରେ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀମାନେ କର୍ତ୍ତୃପକ୍ଷଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ କୋଚିଂ ସେଣ୍ଟର କର୍ତ୍ତୃପକ୍ଷଙ୍କ ବିରୋଧରେ ନାରାବାଜି କରିଥିଲେ।