ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଛି ବିଜୁ ଜନତା ଦଳର ବିଧାୟକ ଦଳ ବୈଠକ । ଆଜି ଶଙ୍ଖଭବନ ଠାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ସାଂପ୍ରତିକ ଓ ରାଜନୈତିକ ଘଟଣାବଳୀ ସମ୍ପର୍କରେ ଆଲୋଚନା କରାଯିବା ସହିତ ଆଗାମୀ ବିଧାନସଭା ଅଧିବେଶନରେ ଦଳର ରଣନୀତି ଚୂଡାନ୍ତ କରାଯାଇଛଇ । ତେବେ ବୈଠକ ଆରମ୍ଭରେ ବିଶିଷ୍ଟ କୃଷିବିତ୍ ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ମୃତି ଉଦେ୍ଦଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ନବୀନ ପଟ୍ଟନାୟକ କହିଥିଲେ ଯେ, ଦରବୃଦ୍ଧି, ରଥଯାତ୍ରାର କୁପରିଚାଳନା, ଆଇନଶୃଙ୍ଖଳା ପରିସ୍ଥିତି, ଏଏସଓଙ୍କୁ ମାଡ ଘଟଣା, ବାଲେଶ୍ୱରରେ ସାମ୍ପ୍ରଦାୟିକ ଦଙ୍ଗା ଏବଂ ବିଜେଡି ସରକାରର ଲୋକହିତକର କାର୍ଯ୍ୟର ପୁନଃ ନାମକରଣ ଆଦି ବିଷୟକୁ ନେଇ ଗୃହରେ ସରକାରଙ୍କୁ ଘେରିବ ବିଜେଡି । ସେ କହିଥିଲେ ଯେ, ଗତ ନିର୍ବାଚନରେ ବିଜେପି ୩୦୦ ୟୁନିଟ ବିଜୁଳି ଜୁଲାଇରୁ ମାଗଣା ଦେବାପାଇଁ ପ୍ରତିଶୃତି ଦେଇଥିଲା । ଏ ସମ୍ପର୍କରେ ମଧ୍ୟ ବିଜେଡି ସରକାରଙ୍କ ଠାରୁ ଉତ୍ତର ଦାବି କରିବ । ସେହିପରି ବିଧାୟକମାନଙ୍କୁ ତଦାରଖ ଦାୟିତ୍ୱ ଦିଆ ଯାଇଥିବା ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା, ବିଧାନସଭାରେ ଶତ ପ୍ରତିଶତ ଉପସ୍ଥିତି ଏବଂ ନବାଗତ ବିଧାୟକମାନଙ୍କ ତାଲିମ ଉପରେ ଶ୍ରୀ ପଟ୍ଟନାୟକ ଆଲୋକପାତ କରିଥିଲେ ।