ବଡ଼ ଠାକୁରଙ୍କ ପହଣ୍ଡି ଅଘଟଣ ପରେ ଆକ୍ସନ ମୋଡ଼ରେ ରାଜ୍ୟ ସରକାର। ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଅରବିନ୍ଦ ପାଢୀଙ୍କୁ ମିଳିଲା ଗୁରୁ ଦାୟିତ୍ବ। ଗୁରୁବାର ରାତି ଅଧିଆ ଆଇନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ମଙ୍ଗଳବାର ପହଣ୍ଡି ବେଳେ ବଡଠାକୁର ହାମୁଡାଇ ପଡ଼ିବା ଏବଂ ରଥଟଣା ବେଳେ ଭିଡ଼ରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେବା ସହ ଠେଲାପେଲାରେ ଅନେକ ଆହତ ହୋଇଥିଲେ। ଏହାପରେ ଶ୍ରୀମନ୍ଦିର ପ୍ରଶାସନର ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନ ଉଠିଥିଲା
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅରବିନ୍ଦ ପାଢୀଙ୍କର ମଧ୍ୟ ପୁରୁଣା ଅଭିଜ୍ଞତା ରହିଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେବା ପରେ ଅରବିନ୍ଦ ପାଢ଼ୀ କହିଛନ୍ତି, ସବୁ ମହାପ୍ରଭୁଙ୍କ ଇଚ୍ଛା। କେମିତି ନୀତିକାନ୍ତି ଶୃଙ୍ଖଳିତ ହେବ ଏବଂ ମହାପ୍ରଭୁଙ୍କ ସଂସ୍କୃତିର କିଭଳି ଆହୁରି ପ୍ରଚାର ପ୍ରସାର ହେବ ତାହା ହିଁ ମୋର ପ୍ରାଥମିକତା ହେବ। ନିକଟରେ ବୀରବିକ୍ରମ ଯାଦବ ମେ ୨୨ରୁ ଜୁନ ୧୧ ପର୍ୟ୍ୟନ୍ତ ଛୁଟିରେ ଯାଇଥିବା ବେଳେ ଅରବିନ୍ଦ ପାଢୀଙ୍କୁ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ମିଳିଥିଲା। ଏହା ପୂର୍ବରୁ ୨୦୧୪ ମସିହାରେ ମଧ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ୟ୍ୟ କରିଥିଲେ ବରିଷ୍ଠ ଆଇଏସ ଅଧିକାରୀ ଅରବିନ୍ଦ ପାଢୀ। ସେପଟେ ବରିଷ୍ଠ ଆଇଏସ ଅଧିକାରୀଙ୍କ ଉପରେ ରାଜ୍ୟ ସରକାରଙ୍କ ଛାଟ ବାଜିବା ଆରମ୍ଭ ହୋଇଥିବା ବେଳେ ବୀର ବିକ୍ରମ ଯାଦବଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦରୁ ହଟାଯାଇଥିବା କୁହାଯାଉଛି। ସେ ଯୋଗାଣ ଓ ପୂର୍ତ୍ତ ବିଭାଗର ସଚିବ ରହିବା ସହ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ପାଇଥିଲେ। ତାଙ୍କ କାର୍ୟ୍ୟକାଳ ମଧ୍ୟରେ କୌଣସି ଆଖିଦୃଶିଆ ପ୍ରଶାସନିକ ଦକ୍ଷତା ଦେଖାଇନଥିଲେ ମଧ୍ୟ ବିଜେଡି ସରକାର ସମୟରେ ଅଖଣ୍ଡ କ୍ଷମତା ଭୋଗ କରୁଥିଲେ ବୋଲି ଚର୍ଚ୍ଚା ହୁଏ