ରାଜ୍ୟରେ ସରକାର ବଦଳିଲା । ବଦଳିଗଲା, ‘ଲକ୍ଷ୍ମୀ ବସ୍’ରଂଗ । ବିଜେଡି ସରକାର ଅମଳରେ ସବୁଜ ଥିଲା, ‘ଲକ୍ଷ୍ମୀ ବସ୍’ରଂଗ । ବିଜେପି ସରକାର ଶହେ ଦିନର ଗ୍ୟାରେଣ୍ଟି ଭିତରେ ରାଜ୍ୟ ପାଇଁ କିଛି ହେଉ କି ନ’ ହେଉ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିଛି । କୃଷକଙ୍କୁ ମିଳିଛି, ପି.ଏମ୍ କିଶାନ କିସ୍ତି ଅର୍ଥ । ଏହା ଭିତରେ ଆସୁଛି, ‘ଲକ୍ଷ୍ମୀ ବସ୍’ରଂଗ ବଦଳିବା କଥା । ସବୁଜ ଥିଲା, ‘ଲକ୍ଷ୍ମୀ ବସ୍’ରଂଗ । ଏବେ, ଗେରୁଆ ହୋଇଛି । ରଂଗ କିଏ ବଦଳାଇଛି, କାହାକୁ ଜଣା ନାହିଁ । ‘ଶଙ୍ଖ’ଲୋଗ ଷ୍ଟିକର କିନ୍ତୁ ପୋଛି ଦିଆ ଯାଇଛି ।
ଗାଁରୁ ବ୍ଲକକୁ ଗଡୁଥିଲା ‘ଲକ୍ଷ୍ମୀ’ । ରାଜ୍ୟର ବିଭିନ୍ନ ଜିଲ୍ଲାର ବ୍ଲକରୁ ବାହାରି ଛୁଉଁଥିଲା, ସହରର ଛାତି । ପ୍ରଥମ ପର୍ୟ୍ୟାୟରେ ୫୩ଟି ରୁଟରେ ପ୍ରାୟ ୬୦ଟି ବସ ଚାଲୁଥିଲା । ଏବେ ବି’ ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରାୟ ୨୫ ଟି ବସ୍ ଓ ସଦର ବ୍ଲକର ବିଭିନ୍ନ ଅଞ୍ଚଳକୁ ୪ଟି ବସ ଗଡୁଛି । ପ୍ରଶ୍ନ ଉଠୁଛି, ‘ଲକ୍ଷ୍ମୀ ବସ୍’ରଂଗ ବଦଳିଲା, ଏହାର ଖବର ଆର୍.ଟି.ଓଙ୍କ ପାଖରେ ଅଛି କି ? ଆର୍.ଟି.ଓଙ୍କ ପାଖରେ ଯଦି ଖବର ନ’ ଥିବ ରାଜରାସ୍ତାରେ ‘ଲକ୍ଷ୍ମୀ’ ଗଡିବ କେମିତି ? ଏ ସମ୍ପର୍କରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ପାଖରେ ବି’ କିଛି ଖବର ନାହିଁ । ସାମ୍ବାଦିକ ମାନେ ରଂଗ ଓ ନାଁ ବଦଳାଇବା ପ୍ରସଙ୍ଗ ଉଠାଇବା ପରେ କହିଛନ୍ତି, ଆମେ ସମୀକ୍ଷା କରୁଛୁ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ଓ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ପରେ ଆମେ ଚିନ୍ତା କରିବୁ । ବର୍ତ୍ତମାନ ଆମେ ସେ କଥା ଚିନ୍ତା କରିନୁ । ବର୍ତ୍ତମାନ ଆମେ ଚିନ୍ତା କରୁଛୁ, ସେ ବସରେ ଲୋକଙ୍କୁ ଅଧିକରୁ ଅଧିକ କିଭଳି ସେବା ଦେଇ ପାରିବୁ । ‘ଲକ୍ଷ୍ମୀ ବସ୍’ରଂଗ ବଦଳିବା ଦ୍ୱନ୍ଦ ପରେ ନାଁ ବଦଳାଇବା ଚର୍ଚ୍ଚା ବି’ ହେଉଥିଲା । ଏହା ଭିତରେ ଇ’ ବସ୍ ସେବା ଆରମ୍ଭ ହେବ ବୋଲି ସୂଚନା ମିଲିଛି । ଏବେ ଉଠୁଛି, ‘ମୋ ବସ୍’ ନାଁ ବଦଳାଇବା କଥା । ‘ମୋ ବସ୍’ ନାଁ ପରିବର୍ତ୍ତନ ହୋଇ ‘ଆମ ବସ୍’ ହେଲେ ଭଲ ହେବ ବୋଲି କହିଛନ୍ତି, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମୋ ବସରେ ବସି ବୁଲିବା ଓ ଯାତ୍ରୀଙ୍କ ଭଲମନ୍ଦ ବୁଝିବା ଅବସରରେ ସୂଚନା ଦେଇଛନ୍ତି, ପ୍ରଧାନମନ୍ତ୍ରୀ ଇ’ ବସ୍ ଯୋଜନାରେ ଆଉ ୪ ଶହ ବସ୍ ରାଜରାସ୍ତାରେ ଗଡିବାକୁ ଯାଉଛି ।