ବଦଳିଲା ଲକ୍ଷ୍ମୀ ବସର ନାଁ ଓ ରଙ୍ଗ । ଢେଙ୍କାନାଳରେ ହେଲା ଶୁଭାରମ୍ଭ । ଢେଙ୍କାନାଳରେ ଲକ୍ଷ୍ମୀ ବସର ହେଲା ନବକଳେବର । ସବୁଜରୁ ଗେରୁଆ ହେଲା ଲକ୍ଷ୍ମୀ ବସର ରଙ୍ଗ । ତେବେ କେବଳ ରଙ୍ଗ ନୁହେଁ, ଲକ୍ଷ୍ମୀ ବସର ନାଁ ପରିବର୍ତନ କରାଯାଇଛି ଲେଖାଯାଇଛି ମୁଖ୍ୟମନ୍ତ୍ରୀ ବସ । ଆଜି ଢେଙ୍କାନାଳ ବସ୍ ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଲକ୍ଷ୍ମୀ ବସ୍ ଗୁଡ଼ିକର ରଙ୍ଗ ବଦଳି ଯାଇଛି। ଏଥିସହ ବସ୍ର ନାଁ ବି ବଦଳି ଯାଇଛି। ତେବେ ପୂର୍ବରୁ ସରକାର ବଦଳିଲା ପରେ ବସରେ ଲାଗିଥିବା ଶଙ୍ଖ ପୋଷ୍ଟର୍ ସବୁ ହଟି ଯାଇଥିଲା ଆଉ ଏବେ ରଙ୍ଗ ଓ ନାଁ ବଦଳି ଯାଇଛି। ବିଜେପି ସରକାର କ୍ଷମତାକୁ ଆସିବା ପରେ ଲକ୍ଷ୍ମୀ ବସ୍ ନାଁ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ମନ୍ତବ୍ୟ। ମନ୍ତ୍ରୀ କହିଥିଲେ, ନାଁ ବଦଳିପାରେ। ନାଁ ରେ କ’ଣ ଅଛି। ସେବା ମିଳିବା ଦରକାର । ଗତ ବର୍ଷ ଅକ୍ଟୋବର ୧୨ ତାରିଖରେ ଆଦିବାସୀ ଅଧ୍ୟଷିତ ମାଲକାନଗିରି ଜିଲ୍ଲାରୁ ‘ଲକ୍ଷ୍ମୀ ବସ୍’ ଯୋଜନାର ଶୁଭାରମ୍ଭ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ମାଲକାନଗିରିରେ ପହଞ୍ଚି ଏହି ଯୋଜନାର ଶୁଭାରମ୍ କରିଥିଲେ । ପ୍ରଥମ ଦିନରେ ୩୬ଟି ବସର ଶୁଭାରମ୍ଭ କରିଥିଲେ ନବୀନ ପଟ୍ଟନାୟକ । ଏହାପରେ ସମଗ୍ର ରାଜ୍ୟରେ ଏହି ବସ୍ ଗଡ଼ିଥିଲା। ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହ ଯୋଡ଼ିବ । ଘରେ ଘରେ ଖୁସି ଆଣିବ, ଗାଁ ଗାଁରେ ସମୃଦ୍ଧି ଆଣିବ । ଅର୍ଥନୀତିରେ ଅଭିବୃଦ୍ଧି ଘଟାଇବ ବୋଲି କହିଥିଲେ କହିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ। ମାତ୍ର ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହି ବସ୍ ସେବାକୁ ବନ୍ଦ ନ କରି ଏହାର ନାଁ ଓ ରଙ୍ଗରେ ପରିବର୍ତ୍ତନ ଆଣିଛି।