କଳାହାଣ୍ଡିର ନର୍ଲା ବ୍ଳକ ଶାଡ଼ିଙ୍ଗତରା ଅଞ୍ଚଳର ମହିଳା କୃଷି ଉଦ୍ୟୋଗୀ ଆମ୍ବଚାଷୀ ଶ୍ରଦ୍ଧାଞ୍ଜଳି ମାଝି ଜୈବିକ ପଦ୍ଧତିରେ ନିଜ ଫାର୍ମରେ ବିଭିନ୍ନ କିସମର ଆମ୍ବ ଉତ୍ପାଦନ କରିଛନ୍ତି । ତାଙ୍କ ଫାର୍ମରେ ଉତ୍ପାଦିତ ଆମ୍ରପଲ୍ଲି ଆମ୍ବର ଗୁଣବତ୍ତା ଅନୁସାରେ କେଜି ପିଛା ୫୫ଟଙ୍କା ଦରରେ ଅଢ଼େଇ ଟନ୍ ଦୁବାଇକୁ ରପ୍ତାନୀ କରାଯାଇଛି । ବିଦେଶରେ ଏହି ଆମ୍ବ ୨୦୦ ଟଙ୍କା ଯାଏ ବିକ୍ରି ହେବ ବୋଲି ଜଣାପଡ଼ିଛି । ପ୍ରଥମେ ଭୁବନେଶ୍ୱର ପଠାଯାଇଥିବାବେଳେ ସେଠାରୁ କାର୍ଗୋରେ ଦୁବାଇ ଯିବ ବୋଲି ଉଦ୍ୟାନ କୃଷି ନିର୍ଦ୍ଦେଶକ କିଶୋର ମହାଲିଙ୍ଗ କହିଛନ୍ତି। ଆମ୍ବ ଯେପରି ଦୀର୍ଘଦିନ ସୁରକ୍ଷିତ ରହିବ, ସେଥିଲାଗି ସର୍ବାଧୁକ ଗୁରୁତ୍ଵ ଦିଆଯାଇଛି। ଏକ ଶୀତତାପ ନିୟନ୍ତ୍ରିତ ଟ୍ରକ୍ରେ କଳାହାଣ୍ଡିରୁ ଆମ୍ବ ଭୁବନେଶ୍ୱର ଯାଇ ସେଠାରୁ ପାଫ୍ ଗ୍ରୁପ ସହଯୋଗରେ ବିମାନରେ ଦୁବାଇ ପଠାଯାଇଛି। କଳାହାଣ୍ଡି ଆମ୍ବକୁ ଅନ୍ତର୍ଜାତୀୟ ବଜାରରେ ସ୍ବତନ୍ତ୍ର ପରିଚୟ ହାସଲ କରାଇବା ପାଇଁ ଏହା ପ୍ରଥମ ପଦକ୍ଷେପ ବୋଲି କୁହାଯାଉଛି। ଜିଲ୍ଲାର ୮ହଜାର ହେକ୍ଟର ଜମିରେ ଚାଷୀ ଆମ୍ବଚାଷ କରୁଛନ୍ତି । ପ୍ରାୟ ୨୭ଶହ ହେକ୍ଟରେ ଗୁଣବତ୍ତା ଓ ଭଲ ଆମ୍ବ ଉତ୍ପାଦନ ହେଉଥିବା ଜଣାଯାଇଛି। ଆଗାମୀ ଦିନରେ ଆମ୍ବଚାଷୀ ନିଜସ୍ବ ଉଦ୍ୟମରେ ଯେପରି ପ୍ୟାକିଙ୍ଗ କରିପାରିବେ ସେ ନେଇ ପଦକ୍ଷେପ ନିଆଯିବ। ଏହାଦ୍ଵାରା ସେମାନଙ୍କୁ ଅଧିକ ଲାଭ ମିଳିବ ବୋଲି ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ମହାଲିଙ୍ଗ ପ୍ରକାଶ କରିଛନ୍ତି।