ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ବିଭିନ୍ନ ରାଜ୍ୟରେ ୪୨୨ଟି ଇଥାନଲ୍ ପ୍ରକଳ୍ପ ସ୍ଥାପନକୁ ନୀତିଗତ ମଂଜୁରୀ ପ୍ରଦାନ କରିଛନ୍ତି। ଏହାଦ୍ୱାରା ଦେଶରେ ବାର୍ଷିକ ଅଧିକ ୧୬୭୫ କୋଟି ଲିଟର ଇଥାନଲ୍ ଉତ୍ପାଦନ କ୍ଷମତା ଯୋଗ ହୋଇପାରିବ। ଏହି ପ୍ରକଳ୍ପଗୁଡିକରେ ମୋଟ ୪୧,୦୦୦ କୋଟି ଟଙ୍କା ପୁଞ୍ଜିନିବେଶ ସମ୍ଭାବନା ରହିଛି। ଏଥିପାଇଁ ବ୍ୟାଙ୍କଗୁଡିକ ପକ୍ଷରୁ କୋହଳ ସର୍ତ୍ତରେ ସଫ୍ଟ ଲୋନ୍ ଯୋଗାଇ ଦିଆଯିବ। ପ୍ରକଳ୍ପଗୁଡିକ ସ୍ଥାପିତ ହେଲେ ତାହା କୃଷକଙ୍କ ପାଇଁ ସହାୟକ ହେବା ସହିତ ବିଦେଶରୁ ପେଟ୍ରୋଲ ସହିତ ଇଥାନଲ୍ ମିଶ୍ରଣ କରିବା ଏବଂ ତୈଳ ଆମଦାନୀ ଉପରୁ ନିର୍ଭରଶୀଳତା ହ୍ରାସ ପାଇଁ ସରକାର ରଖିଥିବା ଯୋଜନା ତ୍ୱରାନ୍ୱିତ ହୋଇପାରିବ। ସୂଚନାଯୋଗ୍ୟ ଯେ ସରକାର ଚଳିତ ବର୍ଷ ପେଟ୍ରୋଲରେ ୮.୫% ଇଥାନଲ୍ ମିଶ୍ରଲ ଲକ୍ଷ୍ୟ ରଖିଥିବାବେଳେ ତାହାକୁ ୨୦୨୨ରେ ୧୦% ଏବଂ ୨୦୨୫ ସୁଦ୍ଧା ୨୦%କୁ ବୃଦ୍ଧି ଘଟାଇବା ଲକ୍ଷ୍ୟ ରଖିଛନ୍ତି। ଜଣେ ପଦସ୍ଥ ସରକାରୀ ଅଧିକାରୀ କହିଛନ୍ତି, ଏହି ୪୨୨ଟି ଇଥାନଲ୍ ପ୍ରକଳ୍ପ ସ୍ଥାପନ ପ୍ରସ୍ତାବ ଦେଶର ୨୨ଟି ରାଜ୍ୟରୁ ଆସିଥିଲା। ଏହାଦ୍ୱାରା ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ଇଥାନଲ୍ ଉତ୍ପାଦନ ସହିତ କୃଷକମାନେ ଉପକୃତ ହେବେ। ସଂପ୍ରତି ବାର୍ଷିକ ଇଥାନଲ୍ ଉତ୍ପାଦନ କ୍ଷମତା ୬୮୪ କୋଟି ଲିଟର ରହିଥିବାବେଳେ ଏହି ପ୍ରକଳ୍ପଗୁଡିକ ସ୍ଥାପନ ହେଲେ ତାହା ପ୍ରାୟ ଦୁଇଗୁଣକୁ ବୃଦ୍ଧିପାଇବ। ସରକାର ନିକଟରେ ଶସ୍ୟଭିତ୍ତିକ ଡିଷ୍ଟିଲାରୀଗୁଡିକ ପାଇଁ ରିହାତି ହାରରେ ଋଣ ସୁବିଧା ଯୋଗାଇଦେବାକୁ ନିକଟରେ ଘୋଷଣା କରିବା ପରେ ଇଥାନଲ୍ ଭିତ୍ତିକ ପ୍ରକଳ୍ପ ସଂଖ୍ୟା ବୃଦ୍ଧିପାଇଛି। ଶସ୍ୟଭିତ୍ତିକ ଡିଷ୍ଟିଲାରୀଗୁଡିକ କ୍ଷେତ୍ରରେ ସରକାର ସଂସ୍ଥାକୁ ଏକ ବର୍ଷ ମୋରାଟୋରିୟମ ସୁବିଧା ସହିତ ପାଞ୍ଚବର୍ଷ ପାଇଁ ଋଣ ଉପରେ ସୁଧର ଅର୍ଦ୍ଧେକ ବା ୬% ଭରଣା କରୁଛନ୍ତି। ସରକାରୀ ଅନୁମୋଦନ ଲାଭ କରିଥିବା ୪୨୨ଟି ଇଥାନଲ୍ ପ୍ରକଳ୍ପ ମଧ୍ୟରୁ ୨୦୧ଟି ଶସ୍ୟଭିତ୍ତିକ ଡିଷ୍ଟିଲାରୀଗୁଡିକ ନିକଟରୁ ଆସିଥିବାବେଳେ ୧୪୧ଟି ପ୍ରସ୍ତାବ ଉଭୟ ଶସ୍ୟ ଓ ମୋଲାସେସ୍କୁ କଞ୍ଚାମାଲ ଭାବରେ ବ୍ୟବହାର କରୁଥିବା ଡିଷ୍ଟିଲାରୀଗୁଡିକ ନିକଟରୁ ଆସିଛି। ସେ କହିଛନ୍ତି, ୨୦୨୫ ସୁଦ୍ଧା ପେଟ୍ରୋଲରେ୨୦% ଇଥାନଲ୍ ମିଶ୍ରଣପାଇଁ ତୈଳ କମ୍ପାନୀଗୁଡିକ ୧ହଜାର କୋଟି ଲିଟର ଇଥାନଲ୍ ଆବଶ୍ୟକ କରିବେ। ତାହାଛଡା ରାସାୟନିକ ଶିଳ୍ପ ଏବଂ ଅନ୍ୟାନ୍ୟ କ୍ଷେତ୍ର ପାଇଁ ୪୦୦ କୋଟି ଲିଟର ଇଥାନଲ୍ ଆବଶ୍ୟକ ହେବ। ଏହିଭଳି ଦେଖିବାକୁ ଗଲେ ମୋଟ ୧୪୦୦ କୋଟି ଲିଟର ଇଥାନଲ୍ ଆବଶ୍ୟକ ରହିଥିବାବେଳେ ଚିନି ଶିଳ୍ପ ପକ୍ଷରୁ ୭୦୦ କୋଟି ଲିଟର ଯୋଗାଇ ଦିଆଯିବା ସମ୍ଭାବନା ରହିଛି। ଅବଶିଷ୍ଟ ୭୦୦ କୋଟି ଲିଟର ଶସ୍ୟଭିତ୍ତିକ ଡିଷ୍ଟିଲାରୀ ଯୋଗାଇବେ। ସରକାର ଚିନି କାରଖାନାଗୁଡିକୁ ୬ ନିୟୁତ ଟନ୍ ବଳକା ଚିନି ଇଥାନଲ୍ ଉତ୍ପାଦନ ପାଇଁ ଯୋଗାଇବାକୁ ସରକାର କହିଛନ୍ତି। ତାହାସହିତ ଖୁଦ ଚାଉଳ, ପଚାସଢା ଶସ୍ୟ, ମକା ଏବଂ ଅନ୍ୟାନ୍ୟ ଶସ୍ୟରୁ ଇଥାନଲ୍ ଉତ୍ପାଦନକୁ ସରକାର ପ୍ରୋତ୍ସାହିତ କରୁଛନ୍ତି।