ଯୋଗ -ପ୍ରାଣାୟାମ ଶରୀର ଓ ମନକୁ ସୁସ୍ଥ ରଖିବା ସହ ଏକ ନିରୋଗ ଜୀବନଯାପନ କରିବାରେ ସହାୟକ ହୋଇଥାଏ। ଆଜି ପୂର୍ବାହ୍ନରେ ଅନୁଗୁଳ ଇନ୍ଡୋର ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ଅନୁର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଏହା କହିଛନ୍ତି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଯୋଗ -ପ୍ରାଣାୟାମର ଉପକାରିତା କହିଥିଲେ। ଜିଲ୍ଲାପାଳ ଅଦାଲ୍ ଏମ୍ ଅଖର ଏକ ସୁସ୍ଥ ଜୀବନଚର୍ଯ୍ୟା ପାଇଁ ପ୍ରତ୍ୟେକ ବ୍ୟକ୍ତି ଯୋଗ ଅଭ୍ୟାସ କରିବା ଦରକାର ବୋଲି କହିଥିଲେ। ଚଳିତ ବର୍ଷର ବାର୍ତ୍ତା ହେଉଛି “ନିଜ ପାଇଁ ଏବଂ ସମାଜ ପାଇଁ ଯୋଗ” । ଏ ଅବସରରେ ପୂର୍ବରୁ ଆୟୋଜିତ ଯୋଗ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ପରେ ପତଞ୍ଜଳି ଯୋଗ ସମିତିର ସହଯୋଗରେ ସୂର୍ଯ୍ୟ ନମସ୍କାର, ପବନ ମୁକ୍ତାସନ, ଭୂଜଙ୍ଗାସନ, ତାଡାସନ ଭଳି ବିଭିନ୍ନ ଯୋଗାସନ ଅଭ୍ୟାସ କରାଯାଇଥିଲା I