ଅସ୍ତିତ୍ବ ହରାଇବାକୁ ବସିଛି ସୁବର୍ଣ୍ଣପୁରର ସୁଉଚ୍ଚ ଶ୍ରୀ ଗୁଣ୍ଡିଚା ମନ୍ଦିର । ରାଜା ରାଜୁଡ ଅମଳରୁ ତିଆରି ହୋଇଥିବା ଏହି ମନ୍ଦିର ଏବେ ରକ୍ଷଣାବେକ୍ଷଣ ଅଭାବରୁ ଅସୁରକ୍ଷିତ ଅବସ୍ଥାରେ । ସହରର ମଧ୍ୟଭାଗରେ ରହିଛି ପଶ୍ଚିମ ଓଡିଶାର ଏହି ଉଚ୍ଚତମ ଗୁଣ୍ଡିଚା ମନ୍ଦିର । ୧୮୪୪ ମସିହାରେ ମୁଖ୍ୟ ମନ୍ଦିରଟି ରେଖା ଦେଉଳ ଶୈଳୀରେ ନିର୍ମିତ ହୋଇଛି । ରାଜା ବିରମିତ୍ରୋଦୟ ସିଂହଦେବ ୧୯୨୨ ମସିହାରେ ଆଧୁନିକ ଶୈଳିରେ ମନ୍ଦିରର ମୁଖ ଶାଳାଟି ନିର୍ମାଣ କରି ମନ୍ଦିର ଗାତ୍ରରେ ଦଶାବତାର ମୁର୍ତ୍ତି ସ୍ଥାପନ କରିଛନ୍ତି । କାରୁ କାର୍ଯପୂର୍ଣ୍ଣ ଏହି ମନ୍ଦିରରେ ବର୍ଷସାରା ପୁଜାପାଇଥାନ୍ତି ନୃସିଂହ ଦେବ । ହେଲେ ଏହି ମନ୍ଦିର ଉପରେ ବଡ ବଡ ଗଛ ହୋଇଥିବା ବେଳେ ଛାତରୁ ପାଣି ଗଳୁଛି । ଏପରିକି ଛାତ ପଡିଯିବାର ଭୟ ଦେଖାଦେଇଛି । ଦୀର୍ଘ ଦିନ ହେବ ଏହାର ମରାମତି କାର୍ଯ ହେଉ ନ ଥିବା ବେଳେ ପୁରୁଣା କାରୁ କାର୍ଯ ପୁର୍ଣ୍ଣ ମୂର୍ତ୍ତି ଗୁଡିକ ଭାଙ୍ଗିବାକୁ ବସିଲାଣି । ତୁରନ୍ତ ଏହାର ମରାମତି କରାଯାଇ ଏହି ଐତିହାସିକ ମନ୍ଦିରରୁ ବଂଚାଇ ରଖିବାକୁ ଦାବି ହେଉଛି । ଖାଲି ଯେ ଏତିକି ନୁହେଁ । ନୃସିଂହଦେବ ପୁଜାପାଉଥିବା ଏହିମନ୍ଦିର ଟି ରଥଯାତ୍ରା ସମୟରେ ଶ୍ରୀଜଗନ୍ନାଥ ଙ୍କ ମାଉସୀ ମାଁ ମନ୍ଦିର ଭାବରେ ବ୍ୟବହାର ହୋଇଆସୁଛି । ତିନିଠାକୁର ଏହି ମନ୍ଦିର ରେ ଅବସ୍ଥାନ କରି ଦଶାବତାର ବେଶ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ଶ୍ରୀଜଗନ୍ନାଥ ଙ୍କୁ ଦର୍ଶନ କରିବା ସହିତ ଗୁଣ୍ଡିଚା ମନ୍ଦିର ରେ ନୃସିଂହଦେବ ଙ୍କୁ ଦର୍ଶନକଲେ ଅକାଳ ପୁଣ୍ୟଲାଭ ହୁଏ ବୋଲି ଏବେବି ଭକ୍ତମାନଙ୍କ ବିଶ୍ୱାସ ରହିଥିବା ବେଳେ ବିଭୁକୃପା ପାଇବାକୁ ପ୍ରତିଦିନ ଶହ ଶହ ଭକ୍ତଙ୍କ ସମାଗମ ହୋଇଥାଏ ଏହି ମନ୍ଦିରରେ । ହେଲେ ଏବେ ଏହି ମନ୍ଦିରଟି ରକ୍ଷଣାବେକ୍ଷଣ ଅଭାବରୁ ବିପଦ ସଂକୁଳ ଅବସ୍ଥାରେ ପଡି ରହିଛି । ରଥଯାତ୍ରା ଆସିଲେ ଜିଲ୍ଲା ଦେବୋତ୍ତର ବିଭାଗ ପକ୍ଷରୁ ରଙ୍ଗ ବୋଳିଦେଇ ନିଜର କର୍ତ୍ତବ୍ୟ ସାରି ଦେଉଥିବା ବେଳେ ମରାମତି କାର୍ଯ କରାଯାଉ ନ ଥିବା ଅଭିଯୋଗ ହୋଇଛି । ରାଜା ରାଜୁଡା ଅମଳରୁ ତିଆରି ଏହିମନ୍ଦିର ଟି ଖାଲିଯେ ଗୁଣ୍ଡିଚା ମନ୍ଦିର ଭାବରେ ପ୍ରସିଦ୍ଧିଲାଭ କରିଛି ତାନୁହେଁ, ଚୌହାଣ ବଂଶ ର ଏହି ଅକ୍ଷୟ କିର୍ତ୍ତି ହୋଇଛି ଇତିହାସ ର ମୁକସାଖି । ତୁରନ୍ତ ମନ୍ଦିର ଉପରେ ଉଠିଥିବା ଗଛକୁ କଟାଯାଇ ମରାମତି କରି ଏହି ଐତିହାସିକ ପୀଠକୁ ବଂଚାଇବା ଜରୁରୀ ହୋଇ ପଡିଛି ।